ବଢ଼ିଲା ବନ୍ଧୁକ ଚିନ୍ତା, ୨ ଦିନିଆ ରିମାଣ୍ଡରେ ଆଶିଷ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ବନ୍ଧୁକରେ ରୋମାନ୍ସବେଳେ ଗୁଳି ଫୁଟି ପ୍ରେମିକା ଆହତ ହେବା ଘଟଣାରେ ଗିରଫ ପ୍ରେମିକ ଆଶିଷ କୁମାର ନାୟକଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ଆଣିଛି। ଏଯାଏ ବନ୍ଧୁକ ଜବତ କରିପାରିନି ପୋଲିସ। ମଙ୍ଗଳବାର ଆଶିଷ ଓ ସହଯୋଗୀ ରାଜେଶ ତରାଇଙ୍କୁ ପଚରାଉଚରାବେଳେ ପୋଲିସକୁ ସେମାନେ ଭୁଆଁ ବୁଲାଇଥିଲେ। ଏଠି ସେଠି ବନ୍ଧୁକ ଖୋଜିଖୋଜି ନୟାନ୍ତ ହୋଇଥିଲେ ମଧ୍ୟ ବନ୍ଧୁକ ମିଳି ନ ଥିଲା। ତେଣୁ ରିମାଣ୍ଡରେ ଆସିଥିବା ଆଶିଷଙ୍କଠାରୁ ବନ୍ଧୁକ ସଂକ୍ରାନ୍ତରେ ତଥ୍ୟ ହାସଲ କରିବା ପୋଲିସ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେବ। ସେହିଭଳି ଗୁଳିକାଣ୍ଡ ନେଇ ମଧ୍ୟ ଆରମ୍ଭରୁ କଥା ବଦଳାଉଥିବା ଆଶିଷଙ୍କଠାରୁ ସତ ଘଟଣା ଓଗାଳିବାକୁ ଚେଷ୍ଟା କରିପାରେ ଇନ୍‌ଫୋସିିଟି ଥାନା ପୋଲିସ। ଅନ୍ୟପକ୍ଷରେ ଗୁଳିମାଡ଼ରେ ଆହତ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେପରି ଉନ୍ନତି ଆସି ନ ଥିବାରୁ ବୁଧବାର ତାଙ୍କ ବୟାନ ରେକର୍ଡ କରିବା ସମ୍ଭବ ହୋଇ ନ ଥିବା ଇନଫୋସିଟି ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ, ଇନ୍‌ଫୋସିଟି ଥାନା ଅନ୍ତର୍ଗତ କାନନବିହାର ଅଧୀନ ବଜରଙ୍ଗବିହାରସ୍ଥିତ ଭଡ଼ାଘରେ ରୋମାନ୍ସ କରୁଥିବାବେଳେ ଆଶିଷ ପାଖରେ ରଖିଥିବା ବନ୍ଧୁକରୁ ଗୁଳି ଫୁଟି ପ୍ରେମିକାଙ୍କ ଜଙ୍ଘରେ ପଶିଯାଇଥିଲା। ପୋଲିସ ଏକ ମାମଲା (ନଂ-୨୨/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଆଶିଷଙ୍କୁ ଗିରଫ କରିଥିଲେ ମଧ୍ୟ ବନ୍ଧୁକ ଜବତ କରିପାରିନି। ବନ୍ଧୁକ ନ ମିଳିଲେ ଅଭିଯୁକ୍ତ ଆଶିଷ ଖସିଯିବାର ସମ୍ଭାବନା ଥିବାରୁ ପୋଲିସର ଚିନ୍ତା ବଢ଼ିଛି। ପୋଲିସ ଆଶିଷଙ୍କୁ ରିମାଣ୍ଡରେ ଆଣିବା ପରେ ବନ୍ଧୁକ ଓ ଘଟଣା ସମ୍ପର୍କରେ ମାରାଥନ ଜେରା ଆରମ୍ଭ କରିଛି। ପୂର୍ବରୁ ଆଶିଷ ପୋଲିସ ଆଗରେ ବୟାନ ଦେଇଥିଲେ ଯେ, ଗୁଳିଟି ଫୁଟିଯିବା ପରେ ସେ କ’ଣ କରିବେ ଜାଣିପାରିଲେନି। ତରବରିଆ ଭାବେ ସାଙ୍ଗ ରାଜେଶଙ୍କୁ ବନ୍ଧୁକ ଦେଇ ଆହତ ପ୍ରେମିକାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ତେଣୁ ବନ୍ଧୁକ କ’ଣ ହେଲା ରାଜେଶ ଜାଣିଥିବେ ବୋଲି କହି ସେ ବାରମ୍ବାର କଥା ବଦଳାଇଥିଲେ। ସୋମବାର ରାତିରେ ନନ୍ଦନକାନନ ଥାନା ମାରୁତିଭିଲାରେ ରହୁଥିବା ରାଜେଶକୁ କାବୁ କରି ତାଙ୍କ ଘର ଯାଞ୍ଚ କରିବା ପରେ ମଧ୍ୟ ସେଠାରୁ ବନ୍ଧୁକ ମିଳି ନ ଥିଲା। ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ସେ ବାଇକରେ ମାରୁତିଭିଲା ଯିବାବେଳେ ରଘୁନାଥପୁର ନିକଟ ନାଳରେ ଫିଙ୍ଗି ଦେଇଥିବା କହିଥିଲେ। ପୋଲିସ ମଙ୍ଗଳବାର ସକାଳୁ ଆଶିଷ ଓ ରାଜେଶଙ୍କୁ ସେଠାକୁ ନେଇ ନାଳ ଭିତରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଏହାସହ କେଉଁ ପରିସ୍ଥିତିରେ ପ୍ରେମିକାଙ୍କ ଜଙ୍ଘରେ ଗୁଳି ପଶିଲା ଓ କିଭଳି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ତାହାର ଡେମୋ କରି ଦେଖାଇଥିଲେ ଆଶିଷ। ଏବେ ରିମାଣ୍ଡରେ ଆସିଥିବା ଆଶିଷଙ୍କଠାରୁ ସତ ଉଗାଳିବା ସହ ବନ୍ଧୁକ ମିଳିଗଲେ ପୋଲିସ ଆଶ୍ୱସ୍ତ ହେବ ବୋଲି କୁହାଯାଉଛି।