ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ଭୋଗରାଇ, ୨୫।୧୨(ଡି.ଏନ.ଏ.)-ବଡ଼ଦିନ ଉପଲକ୍ଷେ ବାଲେଶ୍ୱର ଜିଲା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ସହ ବାଲିଆପାଳର ଚୌମୁଖ, ଡଗରା ଓ ଚାନ୍ଦିପୁର ସମୁଦ୍ର ବେଳାଭୂମି ଉତ୍ସବମୁଖର ହୋଇଉଠିଛି। ଭୋଗରାଇ ସୀମାନ୍ତ ଦୀଘା, ଶଙ୍କରପୁର, ତାଜପୁର ଓ ମନ୍ଦାରମଣିରେ ମଧ୍ୟ ଅସଂଖ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଦୀଘାରେ ସହସ୍ରାଧିକ ହୋଟେଲ, ତାଳସାରୀ ଓଟିଡ଼ିସି ସହ ବିଭିନ୍ନ ପାର୍କରେ ବିଦ୍ୟୁତ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଦୀଘା, ଉଦୟପୁର, ତାଳସାରୀ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ସମୁଦ୍ରରେ ଗାଧୋଇବାର ମଜା ନେଇଛନ୍ତି। ଝାଉଁ ଜଙ୍ଗଲରେ ପର୍ଯ୍ୟଟକମାନେ ଦଳ ଦଳ ହୋଇ ଭୋଜିଭାତର ଆସର ଜମାଇଛନ୍ତି। ଦୀଘାରେ ଅମରାବଦୀ ପାର୍କ, ବିଜ୍ଞାନକେନ୍ଦ୍ର, ବିଶ୍ୱ ବାଣିଜ୍ୟ କେନ୍ଦ୍ର ସହ ବିଭିନ୍ନ ସ୍ଥାନରେ ଥିବା ଦର୍ଶନୀୟ ସ୍ଥାନକୁ ପର୍ଯ୍ୟଟକମାନେ ବୁଲି ଦେଖିଛନ୍ତି। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଚନ୍ଦନେଶ୍ୱର, ତାଳସାରୀ, ଉଦୟପୁର, ଦୀଘାର ସମସ୍ତ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।