ବଡ଼ଚଣା ଥାନାବାବୁଙ୍କ ପାଇଁ ଥାନାରେ ସେବାୟତ, ନୋଟିସ୍‌ ଦେଇ ଛାଡ଼ିିଲା ପୋଲିସ

ପୁରୀ ଅଫିସ,୨୧ା୪:  କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ନିଲମ୍ବିତ ଯାଜପୁର ଜିଲା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେବା ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ପୋଲିସ ଖୋଜୁଥିବା ଜାଣି ଶ୍ୟାମ ମଙ୍ଗଳବାର ପୂର୍ବାହ୍ନରେ ସିଂହଦ୍ୱାର ଥାନାରେ ହାଜର ହୋଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ତାଙ୍କୁ ନୋଟିସ୍‌ ଦେଇ ଛଡ଼ାଯାଇଥିବା ଥାନା ଆଆଇସି ଗେହ୍ଲି ସାହୁ କହିଛନ୍ତି।

କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। କୌଣସି ଭକ୍ତଙ୍କୁ ଭିତରକୁ ଛଡ଼ାଯାଉ ନାହିଁ। ଚାରିଦ୍ୱାରରେ ପୋଲିସ ଏବଂ ଜେଟିପି ଜଗିଥିବା ବେଳେ ଗତ ରବିବାର ସନ୍ଧ୍ୟାରେ ଏକ ହଳଦିଆ ବତି ଲାଗିଥିବା ଗାଡ଼ିରେ ଥାନାଧିକାରୀ ଜେନା ସପରିବାର ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ପହଞ୍ଚତ୍ଥିଲେ। ମନ୍ଦିର ଭିତରକୁ ପ୍ରବେଶ କରିବାବେଳେ କାର୍ଯ୍ୟରତ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ହେଲେ ସେ କାହା କଥା ନ ଶୁଣି ଭିତରକୁ ଯାଇଥିଲେ। ମନ୍ଦିରକୁ ଯିବାରେ ସେମାନଙ୍କୁ ଜଣେ ସେବାୟତ ସହଯୋଗ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଥାନାଧିକାରୀ ଜେନା, ତାଙ୍କ ସହଧର୍ମିଣୀ ଏବଂ ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କ ନଁାରେ ମାମଲା ରୁଜୁ କରାଯାଇଥିଲା। ତେବେ ନିଜ କ୍ଷମତାର ଦୁରୂପଯୋଗ କରିବା ଏବଂ କରୋନା କଟକଣା ଉଲ୍ଲଂଘନ କରି ମନ୍ଦିରକୁ ପ୍ରବେଶ କରିଥିବାରୁ ଥାନାଧିକାରୀ ଜେନାଙ୍କୁ ଡିଜିପି ନିଲମ୍ବନ କରିଥିଲେ। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ମଙ୍ଗଳବାର ସମ୍ପୃକ୍ତ ସେବାୟତ ସିଂହଦ୍ୱାର ଥାନାରେ ପହଞ୍ଚିଥିଲେ। ଏ ସମ୍ପର୍କରେ ସିଂହଦ୍ୱାର ଥାନାଧିକାରୀ ସାହୁ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିଲା। ତେଣୁ ସେ ଥାନାକୁ ଆସିଥିଲେ। ତାଙ୍କୁ ପଚରାଉଚରା ପରେ ନୋଟିସ୍‌ ଦିଆଯାଇ ଛଡ଼ାଯାଇଛି। ଆସନ୍ତା ୭ଦିନ ମଧ୍ୟରେ ସେ ପୁଣିଥରେ ଥାନାରେ ହାଜର ହେବେ। ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବା ଲାଗି ତାଙ୍କୁ କୁହାଯାଇଛି।