ବଡ଼ଓଷାରେ ଉତ୍ସବମୁଖର ବୁଦ୍ଧେଶ୍ୱର ଶୈବପୀଠ: ଲାଗି ହେଲା ୨୮୧ ଭଣ୍ଡାର

ଭୁବନ, ୧୦।୧୧(ଡ.ଏନ.ଏ.)-ଭୁବନର ପ୍ରସିଦ୍ଧ ବୁଦ୍ଧେଶ୍ୱର ଶୈବପୀଠରେ ରବିବାର ବଡ଼ଓଷା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପାରମ୍ପରିକ ଭଣ୍ଡାର ଭୋଗ ଲାଗି କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ପଞ୍ଚୁକ ଏବଂ ବଡ଼ଓଷା ପାଇଁ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରାତଃରୁ ଦ୍ୱାରଫିଟା ନୀତି, ଅବକାଶ, ମଙ୍ଗଳଆଳତି ପରେ ମହାଦେବଙ୍କ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରଦ୍ଧାଳୁ ଏବଂ ମାନସିକଧାରୀମାନେ ବ୍ରାହ୍ମଣୀ ନଦୀରେ ସ୍ନାନପୂର୍ବକ ଭଣ୍ଡାର ବସାଇଥିଲେ। ଚଳିତବର୍ଷ ପୀଠରେ ମୋଟ ୨୮୧ ଜଣ ଶ୍ରଦ୍ଧାଳୁ ବଡ଼ଓଷା ଭଣ୍ଡାର ଭୋଗ ଲାଗି କରିଥିବା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଢେଙ୍କାନାଳ ଜିଲା ସମତେ ବାହାର ଜିଲାରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।