ବଡପାରୀରେ ଏମ୍‌ପି ଅପରାଜିତାଙ୍କୁ ନାଗରିକ ସମ୍ବର୍ଦ୍ଧନା

ଟାଙ୍ଗୀ(ଖୋର୍ଦ୍ଧା),୧୯ା୮(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡପାରୀ ଗ୍ରାମସ୍ଥିତ ସିଭିଲ୍‌ ସୋସାଇଟି ତରଫରୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ରବିବାର ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି। ଷଡ଼ଙ୍ଗୀ ଗ୍ରାମରେ ପହଞ୍ଚତ୍ବା ପରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏମ୍‌ପିଙ୍କ ସହ ଭାଜପା ନେତା କାଳୁ ଚରଣ ଖଣ୍ଡେଇତରାୟ ଉପସ୍ଥିତ ଥିଲେ। ପାଇକ ଆଖଡା ଖେଳାଳିମାନେ ତାଙ୍କୁ ଏକ ଶୋଭାଯାତ୍ରାରେ ବଡପାରୀ ନୋଡାଲ ହାଇସ୍କୁଲ ପରିସରକୁ ନେଇଥିଲେ। ହାଇସ୍କୁଲ ପରିସରରେ ସୋସାଇଟି ସଭାପତି ରଘୁନାଥ ପାଲଟାସିଂହଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ଏମ୍‌ପି ଚାରାରୋପଣ କରିଥିଲେ। ଏହି ଅବସରରେ ଗ୍ରାମର ଉନ୍ନତି ନିମନ୍ତେ ସିଭିଲ ସୋସାଇଟି ତରଫରୁ ତାଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିକାଶକୁ ଲକ୍ଷ୍ୟ ରଖି ସାଂସଦ ବଡ଼ପାରୀକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରାଗଲା ବୋଲି ଘୋଷଣା କରିଥିଲେ।