ବଜ୍ରପାତରେ ୮ ଗୋରୁଙ୍କ ଜୀବନ ଗଲା

କୁଆଁରମୁଣ୍ଡା, ୧୯।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ହେବାରୁ ପଦ୍ମପୁର ପଞ୍ଚାୟତ ଚାନ୍ଦପୋଷ ଗ୍ରାମ ନିକଟ ଏକ ଖୋଲାପଡ଼ିଆରେ ବୁଲୁଥିବା ୮ ଗୋରୁଙ୍କର ମୃତ୍ୟୁ ଘଟିଛି। ସେଥିରେ ୬ଟି ବଳଦ ଓ ୨ଟି ଗାଈ ଥିବା ଜଣାପଡ଼ିଛି। ଖବର ପାଇ ପଦ୍ମପୁର ସରପଞ୍ଚ ବିଜୟଲକ୍ଷ୍ମୀ କାଲୋ, ସାମାଜିକକର୍ମୀ ଟିକେଶ୍ୱର କାଲୋ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କୁଆଁରମୁଣ୍ଡା ରାଜସ୍ବ ନିରୀକ୍ଷକ, କୁଆଁରମୁଣ୍ଡା ଫାଣ୍ଡିକୁ ଖବର ଦେଇଥିଲେ। ରାଜସ୍ବ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମ୍ପୃକ୍ତ ଗୋପାଳକମାନଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ମୃତ ୮ଗୋରୁଙ୍କୁ ଗାତଖୋଳି ପୋତିଦିଆଯାଇଛି।