ବଜ୍ରକୋଟରେ କଙ୍ଗାରୁ କୋର୍ଟ: ଭାଙ୍ଗିଲେ ଘର, ଶୀତ କାକରରେ ବାସନ୍ଦ ପରିବାର

ରଣପୁର, ୭।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଜ୍ରକୋଟରେ ଗୁରୁବାର ସନ୍ଧ୍ୟାରେ କଙ୍ଗାରୁ କୋର୍ଟ କରାଯାଇ ଭଗବାନ ଦଳେଇ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦିଆଯାଇଛି। ଏପରି କି ତାଙ୍କ ଘରୁ ୭ ହଜାର ଟଙ୍କା ସମେତ ଗୃହ ଉପକରଣ ଲୁଟ୍‌ କରାଯାଇଛି। ଏହି ଘରଭଙ୍ଗା କାର୍ଯ୍ୟରେ ମହିଳା, ପୁରୁଷଙ୍କ ସମେତ ଛୋଟପିଲା ସାମିଲ ଥିବାର ଏକ ଭିଜୁଆଲ ଭାଇରାଲ ହୋଇଛି। ଘଟଣା ସମ୍ପର୍କରେ ଭଗବାନ ରଣପୁର ଥାନା ଆଇଆଇସିଙ୍କୁ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପାଇଁ ଦର୍ପନାରାୟଣପୁର ଫାଣ୍ଡିକୁ ଅଭିଯୋଗକାରୀଙ୍କୁ ପଠାଇ ଦିଆଯାଇଥିଲା। ଅନ୍ୟପକ୍ଷେ ବଜ୍ରକୋଟର ମକଦ୍ଦମା ରଣପୁର ଥାନାରେ ରୁଜୁ ହେଉଥିବାବେଳେ ତାଙ୍କୁ ଦର୍ପନାରାୟଣପୁର ପଠାଯିବା କାରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଜ୍ରକୋଟଠାରୁ ରଣପୁର ଦୂରତା ୪କିମି ହୋଇଥିବାବେଳେ ଦର୍ପନାରାୟଣପୁରର ଦୂରତା ୯କିମି। ଅନ୍ୟପକ୍ଷେ ଗଁ।ରେ ଏକ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ସରକାରୀ ସ୍ତରରେ ମାପଚୁପ କରାଯାଇ ଜାଗା ଚିହ୍ନଟ ଶେଷ ହୋଇଥିଲା। ଏଥିପାଇଁ କିଛି ଘରକୁ ବି ଭଙ୍ଗାଯାଇଥିଲା। ଭଗବାନଙ୍କ ଘର ଏହି ମାପଚୁପରେ ଆସି ନ ଥିଲା। ତେବେ ରାସ୍ତା ଯିବ କହି ତାଙ୍କ ଘର ଭାଙ୍ଗିବାକୁ କୁହାଯାଇଥିଲା। ରାସ୍ତା ନ ଯାଇ କାହିଁକି ଘର ଭାଙ୍ଗିବି ବୋଲି ଭଗବାନ ଗ୍ରାମବାସୀଙ୍କ ସହ ଯୁକ୍ତି ବାଢ଼ିବାରୁ ଏ ନେଇ କଙ୍ଗାରୁ କୋର୍ଟ କରାଗଲା। ତାଙ୍କ ପରିବାରକୁ ଗଁ।ରୁ ବାସନ୍ଦ କରାଗଲା। ଦଣ୍ଡସ୍ବରୂପ ତାଙ୍କ ଘର ମଧ୍ୟ ଭଙ୍ଗାଗଲା। ଆଗକୁ ଆଗେଇଲେ ପରିସ୍ଥିତି ଭଲ ହେବ ନାହିଁ ବୋଲି ଧମକ ମିଳିଥିଲା। ପୋଲିସରେ ଅଭିଯୋଗ କଲେ ସୁଫଳ ମିଳିବନି ବୋଲି ସେମାନେ କହିଥିଲେ। ଭଗବାନ ଥାନାକୁ ଯିବା ପରେ ପୋଲିସ ନ ଶୁଣିବା ତା’ର ଏକ ପ୍ରମାଣ ବୋଲି ସେ କହିଛନ୍ତି। ଅନ୍ୟପଟେ ଗଁ। ଲୋକଙ୍କ ସହ ଏକା ସ୍ବରରେ ପୋଲିସ କହିଛି ଯେ ଭଗବାନ ମଦ ବ୍ୟବସାୟ କରିବା ଯୋଗୁ ଗଁ। ଲୋକେ ତାଙ୍କ ଘର ଭାଙ୍ଗିଦେଇଛନ୍ତି, ଯାହା ତଦନ୍ତସାପେକ୍ଷ। ଏବେ ଭଗବାନଙ୍କ ପରିବାର ଗଛତଳେ ଆଶ୍ରୟ ନେଇଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ। ଘଟଣା ସମ୍ପର୍କରେ ଶରଣକୁଳ ଏସ୍‌ଡିପିଓ ଏସ୍‌. ଟପୋଙ୍କ ସୂଚନା ଅନୁସାରେ ମଦ ବିକ୍ରି ଯୋଗୁ ଗଁ। ଲୋକ ଘର ଭାଙ୍ଗିଦେଇଛନ୍ତି। ଘଟଣାର ତଦନ୍ତ ଚାଲିଛି। ତେବେ ମାମଲା ରୁଜୁ ହୋଇନି।