ବଜାର ଅଞ୍ଚଳରେ ବଢୁଛି ଟ୍ରାଫିକ ସମସ୍ୟା: ଟ୍ରାଫିକ ପୋଷ୍ଟ ନିର୍ମାଣ ଦାବି

ବୋଲଗଡ଼,୧୩ା୫(ଡି.ଏନ.ଏ.)-୫୭ ନଂ ଜାତୀୟ ରାଜପଥର ବୋଲଗଡ଼ ବ୍ଲକ ରାଜସୁନାଖଳା ବଜାର ଅଞ୍ଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିିବାରେ ଲାଗିଛି। ଟ୍ରାଫିକ୍‌ ଭିଡ଼ ଯୋଗୁ ସର୍ବଦା ବିଶେଷତଃ ଜରୁରିକାଳୀନ ସମୟରେ ଯାତାୟାତକାରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବଜାର ଉଭୟ ବୋଲଗଡ଼ ଏବଂ ରଣପୁର ବ୍ଲକ ଅଞ୍ଚଳର ଏକ ସଂଯୁକ୍ତ ସ୍ଥଳ ତଥା ଖୋର୍ଦ୍ଧା, ନୟାଗଡ଼ ଜିଲାର ସୀମାନ୍ତରେ ରହିଥିବାରୁ ଉଭୟ ଜିଲା ପାଇଁ ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଭାବେ ପରିଚିତ। ତେଣୁ ଏଠାରେ ସର୍ବଦା ଗହଳି ଲାଗି ରହିଥାଏ। ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଆଦି ଅନେକ ସଂସ୍ଥା ଏଠାରେ ରହିଛି। ଉକ୍ତ ଜାତୀୟ ରାଜପଥରେ ଭୁବନେଶ୍ୱରରୁ ପଶ୍ଚିମ ଓଡ଼ିଶା ଅଞ୍ଚଳକୁ ଭାରିଯାନଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍‌ଗୁଡିକ ବଜାର ଅଞ୍ଚଳ ଦେଇ ଯାତାୟାତ କରନ୍ତି। ଦିନକୁ ଦିନ ଯାନବାହନ ସଂଖ୍ୟା ବଢ଼ିବାରେ ଲାଗିଛି। ଉଲ୍ଲେଖଯୋଗ୍ୟ, ନୂଆ ବସ୍‌ଷ୍ଟାଣ୍ଡଠାରୁ ପୁରୁଣା ବସ୍‌ଷ୍ଟାଣ୍ଡ ଦେଇ ବ୍ୟାଙ୍କ୍‌ ଛକ ଏବଂ କୁମାରୀ ଛକ ଅଞ୍ଚଳରେ ସର୍ବଦା ଟ୍ରାଫିକ ସମସ୍ୟା ଲାଗି ରହିଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ତେଣୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏହି ବଜାର ଅଞ୍ଚଳର ଛକ ସ୍ଥାନଗୁଡିକରେ ତୁରନ୍ତ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ କରିବାକୁ ବିଭିନ୍ନ ମହଲରେ ଦାବି ଜୋର୍‌ ଧରିଛି।