ବକେୟା ମହଙ୍ଗା ଭତ୍ତା, ବର୍ଦ୍ଧିତ ଦରମା ପ୍ରସଙ୍ଗ: ମିଳିବା ନେଇ କର୍ମଚାରୀ ଆଶାବାଦୀ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରାଜ୍ୟ ସରକାରୀ କର୍ମଚାରୀ ବକେୟା ମହଙ୍ଗା ଭତ୍ତା ଏବଂ ବର୍ଦ୍ଧିତ ଦରମା ପାଇବାକୁ ରହିଛି। ବିଶେଷ କରି ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀ ମହଲରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ କର୍ମଚାରୀଙ୍କୁ ଗତ ୨୦୧୭ ବର୍ଷରେ ନୂତନ ଦରମା ଦେବା ପରେ, ୨୦୧୬ ପହିଲାରୁ ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ବର୍ଦ୍ଧିତ ଦରମାର ବକେୟା ବାବଦ ପ୍ରାପ୍ୟରୁ କର୍ମଚାରୀମାନେ ମାତ୍ର ୪୦ ପ୍ରତିଶତ ପାଇଛନ୍ତି। ଇତି ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ୬୦ ପ୍ରତିଶତ ବକେୟା ଦରମା କର୍ମଚାରୀମାନେ ପାଇନାହାନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ପାଇଁ ଚଳିତ ବର୍ଷର ଜୁଲାଇ ଡୋଜ୍‌ ବାବଦକୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଦେଇସାରିଛନ୍ତି। ହେଲେ ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ତାହା ହୋଇ ନ ଥିବା କେତେକ କର୍ମଚାରୀ କହିଛନ୍ତି। ତେଣୁ ସରକାର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି କର୍ମଚାରୀମାନେ ଆଶା କରୁଛନ୍ତି।