Categories: ରାଜ୍ୟ

ବକେୟା ଦରମା ଦାବିରେ ଛଟେଇ ଶ୍ରମିକଙ୍କ ଧାରଣା

କାଳିଆପାଣି,୮ା୬(ଡି.ଏନ୍‌.ଏ.): ଇଡ଼କଲ ତୈଳଙ୍ଗୀ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବେକୟାଦରମା ପ୍ରଦାନ ଦାବିରେ ଛଟେଇ ଶ୍ରମିକମାନେ ଧାରଣା ଦେଇଛନ୍ତି। ଦୀର୍ଘ ସମୟଧରି ଧାରଣା ଜାରି ରହିଥିଲେ ମଧ୍ୟ ଧାରଣସ୍ଥଳକୁ ଖଣି କର୍ତ୍ତୃପକ୍ଷ ଆସି ନ ଥିଲେ। ଶେଷରେ ଶ୍ରମିକମାନେ ନିରାଶ ହୋଇ ଫେରିଥିବା ଜଣାପଡିଛି। ତେବେ ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରତିଦିନ ଧାରଣା ଜାରି ରହିବ ବୋଲି ଶ୍ରମିକ ଅଜିତ୍‌ ବେହେରା, ଇନ୍ଦ୍ରମଣି ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ୭ ମାସ ଧରି ତୈଳଙ୍ଗୀ ଖଣି କାର୍ଯ୍ୟ ବନ୍ଦ ରହିଥିବାବେଳେ ଠିକାସଂସ୍ଥା ନିକଟରେ କାର୍ଯ୍ୟକରୁଥିବା ଶ୍ରମିକଙ୍କୁ ଛଟେଇ କରାଯାଇଥିଲେ ମଧ୍ୟ ସେମାନଙ୍କ ବକେୟା ଦରମା ପ୍ରଦାନ କରାଯାଇ ନାହିଁ। ଏ ନେଇ ଗତ ଫେବୃଆରୀରେ ସୁକିନ୍ଦା ରିଜିୟନ କ୍ରେମାଇଟ ଖାଦାନ ମଜଦୁର ସଂଘ ପକ୍ଷରୁ ଏକ ୬ ଦଫା ଦାବିପତ୍ର ଇଡ୍‌କଲ ନିଗମର ନର୍ଦ୍ଦେଶକ ସହ ଜିଲାପାଳ, ଏସ୍‌ପି, ବିଡିଓ, ତହସିଲଦାର, ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲ। ଏହି ଦାବି ମୁତାବକ ଛଟେଇ ଶ୍ରମିକଙ୍କର ଗ୍ରାଚୁୟୁଟି, ନିଯୁକ୍ତି ସୁବିଧା, ବୋନସ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରାପ୍ୟ ପ୍ରଦାନ ସହ ନିୟମ ଅନୁଯାୟୀ ଟେଣ୍ଡର କରି ଖଣି ଖୋଲିବା, ପୂର୍ବରୁ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ବହିଷ୍କାର କରି ଏ ଓ ବି ବ୍ଲକରେ ଥିବା ଖଣି ଦ୍ୱୟକୁ ତୁରନ୍ତ କାର୍ଯ୍ୟକ୍ଷମ, ଛଟେଇ ଶ୍ରମିକଙ୍କୁ ପନଃ ନିଯୁକ୍ତି, ନିଗମ କ୍ରୋମବିଶୋଧନାଗାରକୁ ଠିକା ବଦଳରେ ନିଗମ ପରିଚାଳନା କରିବା, ଖଣି ଲିଜ୍‌ ପରିସରରେଥିବା ଜମି ପଟ୍ଟାଧାରୀକୁ ବିସ୍ଥାପିତ କରିବା, କ୍ୱାରୀ ୩କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପରି ୫ ଦାବି ସଂଘ ପକ୍ଷରୁ ନିଗମର ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଦାନ କରାଯାଇଥିଲା। ୧୫ ଦିନ ମଧ୍ୟରେ ଦାବି ପୁରଣ ନ ହେଲେ ଇଡ୍‌କଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ ଚେତାବନୀ ଦିଆଯାଇଥିଲା। ଏହାକୁ ନେଇ ଖଣି କର୍ତ୍ତୃପକ୍ଷ ଓ ଶ୍ରମିକ ସଂଘ ମଧ୍ୟରେ ଏକ ଦ୍ୱିପାଖିକ ଆଲୋଚନା ହୋଇଥିଲା। ଆଲୋଚନାପରେ ଇଡ୍‌କଲ ନିଗମ ପକ୍ଷରୁ ଉପସ୍ଥିତ ରହିଥିବା ଜିଏମ୍‌ ଓ ଅନ୍ୟାନ୍ୟ କର୍ମଚାରୀ ଶ୍ରମିକଙ୍କର ବକେୟା ଦରମା ଫେବୃଆରୀ ୫ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଏ ଓ ବି ବ୍ଲ୍ଳକ ଖଣି ଖୋଲିଲେ ପୂର୍ବରୁ କାର୍ଯ୍ୟକରୁଥିବା ଛେଟେଇ କର୍ମଚାରୀଙ୍କୁ ଅଗ୍ରାଧିକାରଭିତ୍ତିରେ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଇତି ମଧ୍ୟରେ ଆଲୋଚନାର ୩ ମାସ ପରେ ବି ଶ୍ରମିକଙ୍କୁ ବକେୟା ଅର୍ଥ ପ୍ରଦାନ କରାଯାଇ ନ ଥିଲା। ଏ ନେଇ ନିଗମ ଜିଏମ୍‌ ଆଶୁତୋଷ ନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହଁ।