Categories: ବାଣିଜ୍ୟ

ଫ୍ଲାଟ୍‌ ଦେଇ ନ ଥିବା ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନୂଆଦିଲ୍ଲୀ,୨୪-୭-ଘର କ୍ରେତାଙ୍କଠାରୁ ଅର୍ଥ ନେଇ ଠିକ୍‌ ସମୟରେ ଫ୍ଲାଟ୍‌ ପ୍ରଦାନ କରୁ ନ ଥିବା ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଆମ୍ରପାଲି ଗ୍ରୁପ୍‌ ଦ୍ୱାରା ଘର କ୍ରେତାମାନଙ୍କୁ ଠକାଯାଇଥିବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଷ୍ଟିସ୍‌ ଅମିତ ମିଶ୍ରା ଓ ୟୁ.ୟୁ.ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ, ଆମ୍ରପାଲିର ଫ୍ଲାଟ୍‌ କ୍ରେତାଙ୍କ ଭଳି ଦେଶର ବିଭିନ୍ନ ସ୍ଥାନରେ କ୍ରେତାମାନେ ସମଦଶା ଭୋଗୁଛନ୍ତି। ରିଏଲ ଇଷ୍ଟେଟ କମ୍ପାନୀଙ୍କ ଦ୍ୱାରା ଠକାମିର ଶିକାର ହେଉଥିବା ଫ୍ଲାଟ୍‌କ୍ରେତାଙ୍କୁ ରକ୍ଷା କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଗେଇ ଆସିବାକୁ ହେବ। କ୍ରେତାମାନେ ନିଜର କଷ୍ଟାର୍ଜିତ ଧନକୁ ଫ୍ଲାଟ୍‌ କିଣିବା ପାଇଁ ବିଲ୍ଡରଙ୍କୁ ଦେଇ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛନ୍ତି। ବିଲ୍ଡର ସେମାନଙ୍କ ଠାରୁ ଅର୍ଥ ନେଇ ଠିକ୍‌ ସମୟରେ ଫ୍ଲାଟ୍‌ ଦେଉନାହାନ୍ତି। କ୍ରେତାଙ୍କ ସ୍ବାର୍ଥ ରକ୍ଷା ଲାଗି ସରକାର ଆଗେଇ ଆସନ୍ତୁ ଏବଂ ଏଭଳି ବିଲ୍ଡରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଘର କିଣିବାର ସ୍ବପ୍ନ ଦେଖୁଥିବା କ୍ରେତା ଅଧିକାଂଶ ମଧ୍ୟବିତ୍ତ ଶ୍ରେଣୀର ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସେମାନଙ୍କର ସ୍ବାର୍ଥରକ୍ଷା କରିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଥାଉ କି, ସୁପ୍ରିମକୋର୍ଟ ଇତିପୂର୍ବେ ଜେପି ଆସୋସିଏଟ୍ସ, ୟୁନିଟେକ୍‌ ଲିମିଟେଡର ଫ୍ଲାଟ୍‌ କ୍ରେତାଙ୍କ ସପକ୍ଷରେ ମତପ୍ରକାଶ କରିଥିଲେ।

Share