ଫେସ୍‌ବୁକ ଷ୍ଟାଟସରେ କରୋନା ଗୁଜବ

ରାୟଗଡ଼ା ଅଫିସ,୧୪।୩: ସୋସିଆଲ ମିଡିଆରେ କରୋନା ଭାଇରସ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଶୁକ୍ରବାର ଜଣଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ। ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ନୂଆ ସାହିର ସତ୍ୟନାରାୟଣ ସାମଲ (୩୨)। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ରାୟଗଡ଼ା ଏସ୍‌ପି ଶ୍ରବଣ ବିବେକ ଏମ୍‌. ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ସତ୍ୟନାରାୟଣ କିଛିଦିନ ହେବ ରାୟଗଡ଼ା ଜିଲା ମୁନିଗୁଡ଼ାରେ ରହିଆସୁଛନ୍ତି। କେରଳରୁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ରାୟଗଡ଼ାକୁ ଆସିଛନ୍ତି ଓ ତାଙ୍କୁ ରାୟଗଡ଼ା ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ନିଜ ଫେସ୍‌ବୁକ୍‌ ଷ୍ଟାଟସରେ ପୋଷ୍ଟ କରିଥିଲେ ସତ୍ୟନାରାୟଣ। ପୋଲିସ ପୋଷ୍ଟ ସମ୍ପର୍କରେ ତଦନ୍ତ କରି ଘଟଣାରେ କୌଣସି ସତ୍ୟତା ନ ଥିବା ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏନେଇ ମୁନିଗୁଡ଼ା ଥାନାରେ କେସ୍‌ ନଂ ୧୩/୨୦ରେ ଏକ ମାମଲା ରୁଜୁ କରାଯାଇଛି। ସୋସିଆଲ ମିଡିଆରେ କରୋନା ସମ୍ପର୍କରେ ଏଭଳି କୌଣସି ମିଥ୍ୟା ତଥ୍ୟ ପୋଷ୍ଟ କରି ଲୋକଙ୍କୁ ଭୟଭୀତ ନ କରିବା ପାଇଁ ରାୟଗଡ଼ା ଏସ୍‌ପି ପରାମର୍ଶ ଦେଇଛନ୍ତି।