ଫେରାର ଭାଟି ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ

ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ବେଳେ ଫେରାର ହୋଇଯାଇଥିବା ମ୍ୟାନେଜରଙ୍କୁ ଗିରଫ କରିବାକୁ ଅନୁଗୋଳ ପୋଲିସ ଉଦ୍ୟମ ଜାରି ରଖିଛି। ଏହି ଘଟଣାରେ ଭାଟି ମାଲିକ ବିକ୍ରମ କିଶୋର ସାହୁଙ୍କ ସହ ମୋଟ୍‌ ୪୩ଜଣଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଭାଟି ମ୍ୟାନେଜର ଧରାପଡ଼ିବା ପରେ ସିଲ୍‌ ହୋଇଥିବା ଭାଟିରେ କିଭଳି ଚୋରା ମଦ କାରବାର ଚାଲିଥିଲା ସେ ନେଇ ଅଧିକ ତଥ୍ୟ ମିଳିପାରିବ।
ଏକ ସ୍ବତନ୍ତ୍ର ଟିମ୍‌ ମ୍ୟାନେଜରଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିବା ପୋଲିସ ପ୍ରକାଶ କରିଛି। ଅପରପକ୍ଷରେ ବ୍ୟବସାୟୀ ବିକ୍ରମଙ୍କ ନାମରେ ମୋଟ୍‌ ୫ଟି ଦେଶୀ ମଦ ଭାଟି ଥିବାବେଳେ ତାଙ୍କ ପରିବାର ମାଲିକାନାରେ ୮ଟି ଦେଶୀ ମଦ ଦୋକାନ, ୧୫ଟି ଅଫ୍‌ ସଫ୍‌ ଓ ଗୋଟିଏ ଅନ୍‌ ସଫ ରହିଥିବା ସହରରେ ଚର୍ଚ୍ଚା ହେଉଛି।
ଚୋରା କାରବାର ଚାଲିଥିବା କରଡ଼ାଗାଡ଼ିଆ ଭାଟି ଲାଇସେନ୍ସ ରଦ୍ଦ ପାଇଁ ଇତିମଧ୍ୟରେ ପୋଲିସ ପକ୍ଷରୁ ଜିଲାପାଳଙ୍କୁ ସୁପାରିସ୍‌ କରାଯାଇଥିବା ବେଳେ ଅବକାରୀ ବିଭାଗର ରିପୋର୍ଟ ମଧ୍ୟ ଜିଲା ପ୍ରଶାସନକୁ ମିଳିସାରିଛି। ତେଣୁ ଘଟଣାର ଅଧିକ ଖୋଳତାଡ଼ କରିବାକୁ ପ୍ରଶାସନ ସଜବାଜ ହେଉଥିବା ସୂଚନା ମିଳିଛି। ଏହାର ତଦନ୍ତ ସରିବା ପରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।