ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର ଅଫିସ, ୨୪ା୧: ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଓକିଲ ସଂଘ ପକ୍ଷରୁ ଦୀର୍ଘବର୍ଷ ଧରି ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ଏବେ ଏକ ଭିନ୍ନମୋଡ ନେଇଛି। କିଛି ଦିନ ତଳେ ବାର କାଉନସିଲ ଅଫ୍‌ ଇଣ୍ଡିଆ ଆନ୍ଦୋଳନରତ ଓକିଲମାନଙ୍କ ଲାଇସେନ୍ସ ରଦ୍ଦ ତଥା ସେମାନଙ୍କ ମକଦ୍ଦମାକୁ ନିକଟସ୍ଥ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସ୍ଥାୟୀବେଞ୍ଚ ଦାବି ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ ନ କରି ଅଗଣତାନ୍ତ୍ରିକ ଉପାୟରେ ବାର କାଉନିସଲ ଅଫ୍‌ ଇଣ୍ଡିଆ ଓକିଲ ସଂଘମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଓକିଲମାନଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ବାର କାଉନସିଲ ଅଫ୍‌ ଇଣ୍ଡିଆର ଏପରି ଏକଚାଟିଆ ପଦକ୍ଷେପ ବିରୋଧରେ ପଶ୍ଚିମ ଓଡ଼ିଶାର ଓକିଲମାନେ ଏକଜୁଟ ହୋଇ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ମନମୁଖୀ କାରବାର ଓ ଅଗଣତାନ୍ତ୍ରିିକ ନିଷ୍ପତ୍ତି ବିରୋଧରେ ଆସନ୍ତା ଫେବୃୟାରୀ ୫ ତାରିଖରେ ୧୨ଘଣ୍ଟିଆ ପଶ୍ଚିମ ଓଡ଼ିିଶା ବନ୍ଦ ଡାକରା ଦିଆଯିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ସେଦିନ ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା ପ୍ରତିଷ୍ଠାନଗୁଡିକ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି।