ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହେବ। ତେବେ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ସୂଚନା ଦେବେ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ସେ କହିଛନ୍ତି ଯେ, ସାଧାରଣତଃ ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇଥାଏ। ଏଥର ମଧ୍ୟ ସେହି ସମୟରେ ହେବ। ତେବେ ଗତଥର ଯେଉଁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଥିଲା ତାକୁ ତର୍ଜମା କରାଯାଉଛି। ଆବଶ୍ୟକ ପଡ଼ିଲେ ପାଖ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏଥର ମାଟ୍ରିକ ପରୀକ୍ଷାରେ କପି କରିବା ସହଜ ହେବ ନାହିଁ। କାରଣ କପି ରୋକିବା ଲାଗି ବିଭାଗ ନୂଆ ପଦକ୍ଷେପ ଗ୍ରହଣ କରିବ। ଏଣିକି ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ୍‌ ରହିବ। ଏହି ସିକ୍ୟୁରିଟି କୋଡ୍‌କୁ ଖାଲି ଆଖିରେ କେହି ଦେଖିପାରିବେ ନାହିଁ। ଏଥିସହ ସମସ୍ତ ପରୀକ୍ଷା ପ୍ରଶ୍ନପତ୍ରକୁ ଡିଜିଟାଲ ଲକ୍‌ କରାଯିବ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କେହି ପରୀକ୍ଷା ପ୍ରଶ୍ନପତ୍ର ଖୋଲିପାରିବେ ନାହିଁ।