ଫୁଲବାଣୀରେ ତାଣ୍ଡବ ରଚିଲା ବର୍ଷା, ପବନ: ୮ ଶିଶୁ ସମେତ ୧୫ରୁ ଊର୍ଦ୍ଧ୍ୱ ଆହତ

ଫୁଲବାଣୀ ଅଫିସ, ୨୬ା୨-କନ୍ଧମାଳ ଜିଲା ଫୁଲବାଣୀ ସହରରେ ମଙ୍ଗଳବାର ସକାଳେ ପ୍ରବଳ ବର୍ଷା, ପବନ ହୋଇଥିଲା। ସକାଳ ପ୍ରାୟ ସାଢ଼େ ୭ଟାରେ ପବନ ବହିବା ଆରମ୍ଭ କଲା ା ପରେ ପରେ ମାତ୍ର ୫ରୁ ୭ ମିନିଟ ମଧ୍ୟରେ ପ୍ରବଳ ବର୍ଷା ପବନରେ ସହରର ଚିତ୍ର ବଦଳିଗଲା ା ପ୍ରାୟ ୧୫୦ କି.ମି. ବେଗରେ ପବନ ବହିବା ଯୋଗୁ ସହରର ମୁଖ୍ୟରାସ୍ତା କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଗଛ ଡ଼ାଳ ସବୁ ଭାଙ୍ଗି ପଡ଼ିଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ବଡ଼ ବଡ଼ ଡ଼ାଳ ଭାଙ୍ଗିପଡ଼ି ରାସ୍ତା ଅବରୋଧ ହୋଇଥିଲା। କେତେକ ସ୍ଥାନରେ ଗଛପଡ଼ି ଘର ମଧ୍ୟ ଭାଙ୍ଗିଛି ା ଏଥିରେ ଏକ ସ୍କୁଲର ୮ ଶିଶୁଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
କଲେଜ ଛକ, ମାଦିକୁନ୍ଦା ଛକ, ଜିରିଙ୍ଗିପଡା, ଟାଉନ ଥାନା, ଜିଲାପାଳଙ୍କ ଅଫିସ, ଏସ୍‌ପି ଅଫିସ, ଏଜେଓ ହାଇସ୍କୁଲ, ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଗଛପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ା ଏସ୍‌ପି ପ୍ରତୀକ ଗୀତା ସିଂ ତୁରନ୍ତ ପୋଲିସ ବାହିନୀକୁ କାର୍ଯ୍ୟରେ ଲଗାଇବା ସହ ନିଜେ ରାସ୍ତା ସଫା କରିବାରେ ଲାଗି ପଡ଼ିଥିଲେ। ସେହିପରି ଅଗ୍ନିଶମ କର୍ମଚାରୀମାନେ ଆସି ଗଛ କାଟିବା ଆରମ୍ଭ କରିଥିଲେ। ଟିମ୍‌ ହ୍ୟୁମାନିଟିର ସଦସ୍ୟମାନେ ଏଥିରେ ସାମିଲ ହୋଇ ସହଯୋଗ କରିଥିଲେ ା ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହେବାରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ସମସ୍ତ ରାସ୍ତା ସଫା ହୋଇଥିଲା।
ବିଦ୍ୟୁତ୍‌ ବିଭାଗ ସୂଚନା ଅନୁଯାୟୀ, ସହର ମଧ୍ୟରେ ଥିବା ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗପଡ଼ିଛି। ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ମରାମତି କାର୍ଯ୍ୟରେ ଲାଗିଛନ୍ତି। ଏବେ ମାଟ୍ରିକ୍‌ ପରୀକ୍ଷା ଚାଲିଥିବାରୁ ଯଥାଶୀଘ୍ର ବିଦ୍ୟୁତ୍‌ ସେବା ସ୍ବାଭାବିକ କରିବାକୁ କାମ ଚାଲିଛି ବୋଲି ସାଉଥକୋର ନିର୍ବାହୀ ଯନ୍ତ୍ରୀ ମନୋଜ ମହାନ୍ତି। ପ୍ରକାଶ କରିଛନ୍ତି। ପେଞ୍ଜି ସାହିରେ ଏକ ଏନଜିଓ ପକ୍ଷରୁ ଚାଲିଥିବା ସ୍କୁଲ ଉପରେ ଗଛ ଭାଙ୍ଗି ପଡ଼ିବାରୁ ସେଠାରେ ପଢୁଥିବା ୮ ଶିଶୁ ଓ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ସେହିପରି ପିଅନପଡ଼ା କାଳିମନ୍ଦିର ସାହିର ଏକ ଘର ଉପରେ ଗଛପଡ଼ି ୨ ଜଣ ଓ ମେଡିକାଲ ଛକରେ ପରିବା ବିକ୍ରି କରୁଥିବା ବେଳେ ଡାଳ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି। ଅନେକ କାର, ବାଇକ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସହରରେ ୨୦ ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା ଫୁଲବାଣୀ ତହସିଲଦାର ଦୀନମଣି ନାୟକ ସୂଚନା ଦେଇଛନ୍ତି।