ଫୁଲନଖରା ନକଲି ତେଲ କାରଖାନା ଉପରେ ଚଢ଼ାଉ: ମେଶିନ ସହ ବିଭିନ୍ନ ସାମଗ୍ରୀ ଜବତ

ଫୁଲନଖରା,୨୮।୮(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ଫୁଲନଖରା ନିକଟ ବମ୍ଫକୁଦଠାରେ ଚାଲିଥିବା ନକଲି ଖାଇବାତେଲ କାରଖାନା ଉପରେ ବୁଧବାର ସକାଳେ ପୋଲିସ ଚଢ଼ାଉ କରିଛି। ଏଥିରେ ୧୦ ହଜାର ଅପମିଶ୍ରିିତ ତେଲ ଟିଣ, ମେଶିନ, ଖାଲି ବୋତଲ, ଲୋଗୋ ଜବତ କରାଯାଇଛି। ପୋଲିସ କାରଖାନା ମାଲିକ କଟକ ଖାନ୍‌ନଗରସ୍ଥିତ ଜଗନ୍ନାଥ ସାହୁ ଓରଫ ନଗୁନିଙ୍କ ସହ କେତେକ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷ ଧରି ଚାଲିଆସୁଥିବା ଏହି କାରଖାନାକୁ କଲିକତା ହଳଦିଆରୁ କଞ୍ଚାମାଲ ଆସୁଥିଲା। ପରେ ଏହାକୁ ଖୁସିଗୋଲ୍ଡ, ଡାଲ୍‌ଡା, ପାଓ୍ବାର ଆଦି ନାମରେ ଅପମିଶ୍ରିତ କରାଯାଇ କଟକ ମାଲ୍‌ଗୋଦାମ, କେନ୍ଦ୍ରାପଡ଼ା, ଫଟ୍ଟାମୁଣ୍ଡାଇ, ଯାଜପୁର, ମଙ୍ଗଳପୁର ବିକ୍ରି ପାଇଁ ଯାଉଥିଲା। ମଙ୍ଗଳବାର ଏହି ତେଲ ନକଲି ବୋଲି ଜାଣି ଜଣେ ବ୍ୟବସାୟୀ ମାଲ୍‌ଗୋଦାମ ଥାନାରେ ଖବର ଦେଇଥିଲେ। ପରେ ମାଲ୍‌ଗୋଦାମ ପୋଲିସ କଟକ ସଦର ଥାନାକୁ ଜଣାଇଥିଲା। ଉଭୟ ଥାନାର ୨ ଅଧିକାରୀ ମଙ୍ଗଳବାର ରାତିରେ କାରଖାନା ଠାବ କରିଥିବା ବେଳେ ବୁଧବାର ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ୪ନଂ. ଜୋନ୍‌ ଏସିପି ସତ୍ୟରଞ୍ଜନ ମଲ୍ଲିକ, କଟକ ସଦର ଆଇଆଇସି ସୁଧାଂଶୁ ଭୂଷଣ ଜେନା, ଏସ୍‌ଆଇ ବବିତା ସାହୁ ଓ ଏଏସ୍‌ଆଇ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।