ଫୁଲକୁ ନେଇ କଣ୍ଟା ବିବାଦ

ପୁରୀ ଅଫିସ,୬ା୭: ଆରମ୍ଭରୁ ବିବାଦରେ ଫସିଥିବା ଶ୍ରୀମନ୍ଦିର ଫୁଲସଜାକୁ ନେଇ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫୁଲ ପାଇଁ ଉଠିଛି କଣ୍ଟା ବିବାଦ। ମହାପ୍ରଭୁଙ୍କ ସେବା ପାଇଁ ସୁଦୂର ଦିଲ୍ଲୀରୁ ଆସିଥିବା ଭକ୍ତ କେ.କେ. ଶର୍ମା ଏହି ବିବାଦ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଫୁଲ ସଜାଇବା ଲାଗି ଅନୁମତି ଦେଇଥିବା ଶ୍ରୀମନ୍ଦିର ପ୍ରଶାସନକୁ ଏଥିପାଇଁ ନୋଟିସ୍‌ ଜାରି ହୋଇପାରେ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସୂଚନା ମିଳିଛି। ଶ୍ରୀମନ୍ଦିର ହେଉଛି ଜାତୀୟ ପୁରାତନ ଐତିହ୍ୟ। ଏଭଳି କାର୍ଯ୍ୟ ଜାତୀୟ ଐତିହ୍ୟ ରକ୍ଷଣାବେକ୍ଷଣ ଆଇନର ବିରୁଦ୍ଧାଚରଣ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ଫୁଲ ସଜାଇବା ବେଳେ ଶ୍ରୀମନ୍ଦିରରେ ବହୁତ କଣ୍ଟା ବାଡା ଯାଇଛି। ଫଳରେ ଏହା ଦ୍ୱାରା ପୁରାତନ ଐତିହ୍ୟର କାରୁକାର୍ଯ୍ୟ ପ୍ରତି କ୍ଷତି ପହଞ୍ଚତ୍ଛି। ଏଥିସହ ପୁରାତନ ପଥର ପ୍ରତି ମଧ୍ୟ ବିପଦ ସୃଷ୍ଟି ଆଶଙ୍କା ପ୍ରକାଶ କରିଛି ଏଏସ୍‌ଆଇ। ଏଥିପାଇଁ ଏଏସ୍‌ଆଇର ପରାମର୍ଶ ନିଆଯାଇ ନ ଥିବା ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି। ଏହି କାରଣ ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ୍‌ ଦିଆଯାଇପାରେ ବୋଲି ଜଣାପଡିଛି। ଏ ସମ୍ପର୍କରେ ଶ୍ରୀମନ୍ଦିରର ଅଧୀକ୍ଷଣ ଯନ୍ତ୍ରୀ ବିନ୍ଧେଶ୍ୱର ପାତ୍ର କହିଛନ୍ତି, ସେମିତି କିଛି ପଥରରେ ପ୍ରଭାବ ପଡିବ ମୁଁ ଭାବୁନାହିଁ। କଣ୍ଟା ଅତିବେଶିରେ ୧ ସେଣ୍ଟିମିଣ୍ଟର ଯାଇଥିବ। କିନ୍ତୁ ମନ୍ଦିର କାନ୍ଥ ହେଉଛି ୧୮ରୁ ୨୦ ଇଞ୍ଚ। ତେଣୁ ପ୍ରଭାବ ପଡିବ ନାହିଁ। ଏଏସ୍‌ଆଇ ରିପୋର୍ଟ ବିଷୟରେ ମୁଁ ଜାଣିନାହିଁ ବୋଲି ପାତ୍ର କହିଥିଲେ।
ସୂଚନାଥାଉ କି, ଗତ ୨ ତାରିଖରେ କାରିଗରମାନେ ଫୁଲ ସଜାଉଥିଲେ। ଅପରାହ୍ନରେ ସିଂହଦ୍ୱାର ଜୟ ବିଜୟ ମୂର୍ତ୍ତି ଉପରେ ଚଢି ଫୁଲ ସଜାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଭକ୍ତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଏଏସ୍‌ଆଇ ମଧ୍ୟ ଏହାକୁ ନେଇ ଘୋର ଉଦ୍‌ବେଗ ପ୍ରକାଶ କରିଥିଲା। ମାତ୍ର ୧୫ ଦିନ ପୂର୍ବରୁ ଜୟ ବିଜୟ ମୂର୍ତ୍ତି କେମିକାଲ ଦିଆଯାଇ ସ୍ଥାପନ କରାଯାଇଥିବା ବେଳେ କାରିଗରମାନେ ତା ଉପରେ ଚଢିଥିଲେ।  ମୂର୍ତ୍ତି ଠିକ୍‌ ଭାବେ ସେଟ୍‌ ହେଲା କି ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ କରିଛି ଏଏସ୍‌ଆଇ। ତେଣୁ ଫୁଲ ସଜାକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଛି।