ଫାଣ୍ଡି ସମ୍ମୁଖ ମନ୍ଦିରର ଦାନବାକ୍ସ ତାଡ଼ି ଚୋରି:ପୋଲିସର ତଦନ୍ତ ଜାରି

ବଡବିଲ, ୯।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ। ରବିବାର ବିଳମ୍ବିତ ରାତିରେ ବଡବିଲ ଥାନା ଅଧୀନରେ ଥିବା ଟାଉନ ଫାଣ୍ଡି ନମ୍ବର-୧ ସମ୍ମୁଖରେ ଥିବା ହରିହର ମନ୍ଦିର ପରିସରରେ ଥିବା ଦାନ ବାକ୍ସକୁ କେହି ଦୁର୍ବୃତ୍ତ ତାଡି ଦାନ ଅର୍ଥ ଚୋରି କରିନେଇଥିବା ଜଣାପଡିଛି। ଖବରପାଇ ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ଓ ଏସଡିପିଓ ସତ୍ୟବିକାଶ ଭୂୟାଁ ସଦଳବଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଥିଲେହେଁ ଅପରାଧୀଙ୍କ ଟେର ମିଳିପାରିନାହିଁ। ମନ୍ଦିର ସମ୍ମୁଖରେ ଥିବା ଫାଣ୍ଡିରେ ପୋଲିସ କର୍ମଚାରୀମାନେ ଠିକ ଭାବେ ଡ୍ୟୁଟି ନ କରି ରାତିରେ ଶୋଇପଡୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଆଇଆଇସି ଦାଶ କୁହନ୍ତି ଯେ, ରବିବାର ବିଳମ୍ବିତ ରାତିରେ ସେ ଫାଣ୍ଡି ପରିଦର୍ଶନରେ ଆସିଥିଲାବେଳେ ଫାଣ୍ଡିର କର୍ମଚାରୀମାନେ ଶୋଇପଡିଥିବା ଦେଖିଥିଲେ ଓ ଫାଣ୍ଡିର ରେଜିଷ୍ଟରରେ ତାହା ଉଲ୍ଲେଖ କରିଛନ୍ତି। ତେବେ ଦାନ ବାକ୍ସଟିକୁ ମାସକରେ ଥରେ ଖୋଲାଯାଉଥିବାରୁ ସେଭଳି ଅଧିକ ଅର୍ଥ ନ ଥିବା ମନ୍ଦିର କମିଟି ସଭାପତି ତଥା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି। ହେଲେ ସମ୍ମୁଖରେ ଫାଣ୍ଡି ଥାଇସୁଦ୍ଧା ପ୍ରତି ବର୍ଷ ମନ୍ଦିରର ଦାନବାକ୍ସ ତାଡି ଚୋରି ହୋଇ ଦୁର୍ଭାଗ୍ୟଜନକ ବୋଲି ତହସିଲଦାର କହିଛନ୍ତି। ଗତ ବର୍ଷ ମଧ୍ୟ ଅନୁରୂପ ଭାବେ ଦାନବାକ୍ସ ତାଡି ଚୋରି ହୋଇଥିଲା। ତେବେ ବାକ୍ସରେ ଦାନ ଅର୍ଥର ହିସାବ ଆକଳନ କରାଯାଇ ପାରି ନ ଥିବାବେଳେ ଫାଣ୍ଡି ସମ୍ମୁଖରୁ ଚୋରି ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବ୍ୟଥିତ କରିଛି।