ଫାଙ୍କା ଗୁଳିଚଳାଇ ଫାଇନାନ୍ସ  କର୍ମଚାରୀଙ୍କଠାରୁ ଲୁଟ୍‌

ପରଜଙ୍ଗ, ୧୮ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇଠାରୁ ମୁକ୍ତାପସି ଯାଇଥିବା ରାସ୍ତାର ରାହାବେରିଣୀ ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରିବା ସହ ଭୁଜାଲିରେ ଆକ୍ରମଣ କରି ୬୮ ହଜାର ୯୧୮ ଟଙ୍କା, ମୋବାଇଲ, ମନିପର୍ସ ଆଦି ନେଇଯାଇଛନ୍ତି। ଫିଉଜନ ମାଇକ୍ରୋ ଫାଇନାନ୍ସ କାମାକ୍ଷାନଗର ଶାଖାର କର୍ମଚାରୀ ଶ୍ରୀକାନ୍ତ ମାନସିଂହ ଏହି ଲୁଟ୍‌ର ଶିକାର ହେବାପରେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରୁ ଜଣାଯାଏ, ଶ୍ରୀକାନ୍ତ ବସୋଇ ଅଞ୍ଚଳରୁ ଅର୍ଥ ଆଦାୟ କରି ବାଇକ୍‌ ଯୋଗେ କାମାକ୍ଷାନଗର ଫେରୁଥିଲେ। ବାଟରେ ରାହାବୋରଣ ଗ୍ରାମ ନିକଟରେ ଏକ ଆମ୍ବ ଗଛ ଠାରେ ଛପି ରହିଥିବା ୬ ଜଣ ଦୁର୍ବୃତ୍ତ ୩ଟି ବାଇକ୍‌ରେ ହଠାତ୍‌ ବାହାରି ତାଙ୍କ ପିଛା କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ସହ ମୋବାଇଲ ଆଦି ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅର୍ଥ ଆଦାୟ କରିବାକୁ ଯିବା ପୂର୍ବରୁ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ପକ୍ଷରୁ ପୋଲିସକୁ ଜଣାଯିବାକୁ କୁହାଯାଇଥିଲେ ହେଁ କେହି ପୋଲିସକୁ ସୂଚନା ଦେଉ ନ ଥିବାରୁ ଏପରି ଲୁଟ୍‌ ଘଟୁଥିବା ଜଣାପଡିଛି। କିଛିଦିନ ମଧ୍ୟରେ ପରଜଙ୍ଗ ଥାନା ଅଞ୍ଚଳରେ ୧୦ରୁ ଊଦ୍ଧର୍‌ବ ଚୋରି, ଲୁଟପାଟ ହୋଇଛି। ଏଥିରେ କିଛି ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଆନନ୍ଦ ଡୁଙ୍ଗଡୁଙ୍ଗ କହିଛନ୍ତି।