Categories: ଖେଳ

ଫାଇନାଲରେ ସିମରନଜିତ୍‌, ଡାଗର

ନୂଆଦିଲ୍ଲୀ,୨୬।୭(ପିଟି)- ବିଶ୍ୱ ଚାମ୍ପିୟନଶିପ ବ୍ରୋଞ୍ଜ ପଦକଧାରୀ ସିମରନଜିତ କୌର (୬୦ କିଗ୍ରା) ଓ ଗିବି ବକ୍ସିଂ ଟୁର୍ନାମେଣ୍ଟର ରୌପ୍ୟ ପଦକ ବିଜେତା ଦୀନେଶ ଡାଗର (୬୯ କିଗ୍ରା) ଇଣ୍ଡୋନେସିଆର ଲାବୁଆନବାଜୋଠାରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଅଙ୍କୁଶ ଡାହିୟା (୬୪ କିଗ୍ରା) ଓ ଅନନ୍ତ ପ୍ରହ୍ଲାଦ ଚୋପଡେ (୫୨ କିଗ୍ରା) ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ସିମରନଜିତ ଇଟାଲୀର ଫ୍ରାନ୍ସେସ୍କା ମାର୍ଟୁସ୍କଏଲୋଙ୍କୁ ୫-୦ ପଏଣ୍ଟରେ ହରାଇଦେଇଛନ୍ତି। ସ୍ବର୍ଣ୍ଣ ପଦକ ମୁକାବିଲାରେ ଘରୋଇ ବକ୍ସର ହାସନା ହୁସ୍ବାତୁନଙ୍କୁ ଭେଟିବେ। ସେହିଭଳି ଡାଗର ୬୯ କିଗ୍ରା ବର୍ଗର ଫାଇନାଲରେ ଇଣ୍ଡୋନେସିଆର ସାମଦା ସପୁତ୍ରଙ୍କ ସହ ଲଢ଼େଇ କରିବେ। ସେ ଏକତରଫା ସେମିଫାଇନାଲରେ ଘରୋଇ ବକ୍ସର ନୂମେଓ ଦେଫ୍ରିଙ୍କୁ ହରାଇ ଦେଇଥିଲେ। ଏଥିପୂର୍ବରୁ ମୋନିକା (୪୮ କିଗ୍ରା) ଓ ନୀରଜ ସ୍ବାମୀ (୪୯ କିଗ୍ରା) ସେମିଫାଇନାଲରେ ସ୍ଥାନ ପକ୍କା କରି ପଦକ ନିଶ୍ଚିତ କରିଥିଲେ। ୬ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ଙ୍କ ନେତୃତ୍ୱରେ ୧୦ ଜଣିଆ ଭାରତୀୟ ଦଳ ଏହି ସମ୍ମାନଜନକ ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି।

Share