ଫାଇନାନ୍ସ କର୍ମଚାରୀଙ୍କଠାରୁ ୩ଲକ୍ଷ ଲୁଟ୍‌

ନିଆଳି,୫ା୧୦(ଡି.ଏନ୍‌.ଏ): ନିଆଳି ବ୍ଲକ ନିକଟରୁ ଶୁକ୍ରବାର ୩ ଲୁଟେରା ଏକ ଫାଇନାନ୍ସ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ମାଡ଼ ମାରି ୩ଲକ୍ଷ ୧୮ହଜାର ୧୩୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଫେରାର ହେଉଥିବା ବେଳେ ଜଣେ ଲୁଟେରାଙ୍କୁ ଦୁଇ କର୍ମଚାରୀ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅନ୍ୟ ଦୁଇଜଣ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ୩୦ରେ ଉକ୍ତ ସଂସ୍ଥାର କର୍ମଚାରୀ କେଦାର ମହାପାତ୍ର ଓ ଜୟରାମ ରାଉତ କାର୍ଯ୍ୟାଳୟରୁ ୩ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଡିପୋଜିଟ୍‌ କରିବା ପାଇଁ ଯାଉଥିଲେ। ବ୍ଲକ କାର୍ଯ୍ୟାଳୟ ନିକଟରେ ୩ ଜଣ ଲୁଟେରା ଏକ ବାଇକରେ ସେମାନଙ୍କୁ ଅଟକାଇଥିଲେ। ଏହା ପରେ ଲୁଟେରାମାନେ ସେମାନଙ୍କ ଠାରୁ ଟଙ୍କା ବ୍ୟାଗ୍‌ ଛଡାଇବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏହି ସମୟରେ ୨ଜଣ ଟଙ୍କା ବ୍ୟାଗ୍‌କୁ ଧରି ଫେରାର୍‌ ହୋଇଯାଇଥିଲେ। ଅନ୍ୟ ଜଣଙ୍କୁ ଦୁଇ କର୍ମଚାରୀ କାବୁ କରିନେଇଥିଲେ। ଖବରପାଇ ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଏଣେତେଣେ ପଡ଼ିଥିବା ୩୭ହଜାର ୧୮୦ଟଙ୍କା ଜବତ କରି ଉକ୍ତ କର୍ମଚାରୀ ଦ୍ୱୟଙ୍କୁ ପ୍ରଦାନ କରିଥିଲେ। ଏହା ପରେ ଧରାପଡ଼ିଥିବା ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ତାଙ୍କ ଠାରୁ ଦୁଇ ମୋବାଇଲ ଫୋନ ଜବତ କରି ତଦନ୍ତ ଚଳାଇଛି। କେଦାରଙ୍କ ଅଭିଯୋଗକ୍ରମେ ଏ ନେଇ ଥାନାରେ ଏକ ମାମଲା(ନଂ.୨୩୫/୧୯)ରୁଜୁ ହୋଇଛି। ଏ ସମ୍ପର୍କରେ ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ କୁହନ୍ତି, ଖୁବ୍‌ଶୀଘ୍ର ଫେରାର ଥିବା ଦୁଇ ଅଭିଯୁକ୍ତଙ୍କ ସହ ଟଙ୍କା ଜବତ କରାଯିବ।