Categories: ଗଞ୍ଜାମ

ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଘଟଣା: ବନ୍ଧୁକ, ବାଇକ, ଟଙ୍କା ଜବତ: ୬ ଗିରଫ

ରାଇକିଆ,୧୩ା୭(ଡ଼ି.ଏନ.ଏ.)-ରାଇକିଆ ଥାନା କରଡ଼ା ନିକଟରେ ଗତ ଫେବୃୟାରୀରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀମାନଙ୍କଠାରୁ ହୋଇଥିବା ଟଙ୍କା ଲୁଟ ଘଟଣାରେ ୬ ଅଭିଯୁକ୍ତଙ୍କୁ ଶୁକ୍ରବାର ରାଇକିଆ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଦାରିଙ୍ଗବାଡ଼ିର ପ୍ରଶାନ୍ତ ପ୍ରଧାନ, ରାଇକିଆର ବିଜୟ ନାୟକ, ରଣବାର ଅଧୀର ଦଳ ବେହେରା, ସଞ୍ଜୟ ନାୟକ , ଚନ୍ଦ୍ର ଶେଖର ନାୟକ ଓ ଭଞ୍ଜନଗରର ଅମିତ ବେହେରା। ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୪ ବାଇକ୍‌, ନଗଦ ୪୪ ହଜାର ଟଙ୍କା, ଦୁଇଟି ଟ୍ୟାବ, ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ଫେବୃୟାରୀ ୬ ତାରିଖରେ ସୋରଡ଼ାର ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀମାନେ ଋଣ ଟଙ୍କା ଆଦାୟ ପାଇଁ ରାଇକିଆ ଆସିଥିଲେ। ବିଭିନ୍ନ ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ୭ ଜଣ କର୍ମଚାରୀ ସନ୍ଧ୍ୟାରେ ସୋରଡ଼ା ଅଭିମୁଖେ ୭ଟା ବାଇକ୍‌ରେ ବାହାରିଥିଲେ। ପୂର୍ବରୁ ଏମାନଙ୍କ ଗତିବିଧି ଲକ୍ଷ୍ୟ ରଖିଥିବା ଅଭିଯୁକ୍ତମାନେ କରଡ଼ା – ସୁନାପାଲି ନିକଟରେ ସନ୍ଧ୍ୟା ପ୍ରାୟ ସାଢେ ୬ଟାlj ଅତର୍କିତ ଆକ୍ରମଣ କରିଥିଲେ। ଚାରିଜଣ କର୍ମଚାରୀ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ୩ ଜଣ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ମାଡ଼ ମାରିବା ପରେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୬ଲକ୍ଷ ଟଙ୍କା ସମେତ ଏକ ବାଇକ୍‌, ଦୁଇଟି ଟ୍ୟାବ, ଦୁଇଟି ମୋବାଇଲ ଫୋନ, ଦୁଇଟି ପାଓ୍ବାର ବ୍ୟାଙ୍କ ଛଡ଼଼ାଇ ନେଇଥିଲେ। ଏ ନେଇ କର୍ମଚାରୀମାନେ ରାଇକିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୬/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗୁରୁବାର ରାଇକିଆ ସତ୍‌ସଙ୍ଗ ବିହାର ନିକଟରେ ଯାନବାହନ ଯାଞ୍ଚ ବେଳେ ଏକ ବାଇକ୍‌କୁ ଅଟକାଇବା ସହ କାଗଜପତ୍ର ମାଗିଥିଲା। ଗାଡ଼ିଟି ଚୋରା ଏବଂ କରଡ଼ା ଡ଼କାୟତିରେ ଚୋରି ହୋଇଥିବା ନେଇ ନିଶ୍ଚିତ ହେବା ପରେ ଏହି ଘଟଣାରେ ଜଣକ ପରେ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲ। ଘଟଣାରେ ଆହୁରି ୪ ଜଣ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥିବା ନେଇ ରାଇକିଆ ଥାନା ଅଧିକାରୀ ନରେଶ ସାହୁ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।