ଫନୀ: ବିଦ୍ୟୁତ୍‌ ଭିତ୍ତିଭୂମିର ପୁନରୁଦ୍ଧାର:ଏନ୍‌ଡିଆର୍‌ଏଫ୍‌ ନିୟମ କୋହଳ କରାଯାଉ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ସାମୁଦ୍ରିକ ଝଡ଼ ଫନୀ ଦ୍ୱାରା ପୁରୀ ଜିଲା ଏବଂ ଅନ୍ୟ କେତେକ ଅଞ୍ଚଳର ବିଦ୍ୟୁତ୍‌ ଭିତ୍ତିଭୂମି ଧ୍ୱଂସ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କୁ କ୍ଷୟକ୍ଷତି ସମ୍ପର୍କରେ ଗୁରୁବାର ଚିଠି ଲେଖି ଅବଗତ କରାଇଛନ୍ତି। ଏଥିସହିତ ବର୍ତ୍ତମାନ ରହିଥିବା ଏନ୍‌ଡିଆରଏଫ୍‌ ନିୟମରେ କୋହଳ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
ଚିଠି ମାଧ୍ୟମରେ ନବୀନ ଲେଖିଛନ୍ତି ଯେ, ଶକ୍ତି କ୍ଷେତ୍ରୀୟ ଟ୍ରାନ୍ସମିଶନ ଏବଂ ବଣ୍ଟନରେ ଅତି ଉଚ୍ଚ କ୍ଷମତାସମ୍ପନ୍ନ, ଉଚ୍ଚ କ୍ଷମତାସମ୍ପନ୍ନ ଏବଂ ନିମ୍ନ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ବ୍ୟବସ୍ଥା ରହିଥାଏ। ଏନ୍‌ଡିଆରଏଫ୍‌ ନିୟମ ଦ୍ୱାରା ବର୍ତ୍ତମାନ କେବଳ ୧୧ କେଭି କ୍ଷମତା ପର୍ଯ୍ୟନ୍ତ ଥିବା ଶକ୍ତି ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ଯେଉଁ ପରିମାଣର କ୍ଷତି ହୋଇଛି, ସେହି ଅନୁସାରେ ସହାୟତା ନାହିଁ। ୧୧ କେଭି ଲାଇନ ସମେତ ବଣ୍ଟନ ଟ୍ରାନ୍ସଫର୍ମର ଏବଂ ଏଲ୍‌ଟି ନେଟ୍‌ୱର୍କ ମଧ୍ୟ ନଷ୍ଟ ହୋଇଛି। ୨୨୦/୧୩୨ କେଭି ଟାୱାର ଏବଂ ଟ୍ରାନ୍ସମିଶନ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବହୁସଂଖ୍ୟକ ଗ୍ରୀଡ୍‌ ସବ୍‌ଷ୍ଟେଶନ ଓ ପାୱାର ଟ୍ରାନ୍ସଫର୍ମର, ୩୩ କେଭି ପୋଲ୍‌, ପ୍ରାଥମିକ ସବ୍‌ଷ୍ଟେଶନ କ୍ଷତିକୁ ମିଶାଇ ପ୍ରାୟ ୧୧୬୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହି କ୍ଷତିର ପୁନରୁଦ୍ଧାର ପାଇଁ ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ନେଇଥିବା କମ୍ପାନୀଗୁଡ଼ିକ ଅକ୍ଷମ। ବିଦ୍ୟୁତ୍‌ ସମସ୍ତଙ୍କ ପାଇଁ ପ୍ରମୁଖ ଆବଶ୍ୟକତା। ରାଜ୍ୟ ସରକାର ଏହି ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଏହି ବିପୁଳ ପରିମାଣ କ୍ଷତିର ବ୍ୟୟଭାର ରାଜ୍ୟ ସରକାର ବହନ କରିବା ସମ୍ଭବ ନୁହେଁ। ତେଣୁ ଏନ୍‌ଡିଆରଏଫ୍‌ ନିୟମରେ କୋହଳ କରିବା ନେଇ ମୁଖ୍ୟମନ୍ତ୍ରୀ ରାଜନାଥଙ୍କୁ ଅନୁରୋଧ କରିଛନ୍ତି।