Categories: ରାଜ୍ୟ

ଫନୀ ପ୍ରଭାବ: କ୍ଷେତ୍ରବାସୀ ଡିଏଭି କଲେଜ ଧ୍ୱସ୍ତବିଧ୍ୱସ୍ତ; ୧୪ ଦିନ ପରେ ମଧ୍ୟ ପରିସ୍ଥିତିରେ ଆସିନି ସୁଧାର

ନିରାକାରପୁର,୧୮ା୫(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ପୁରାତନ କ୍ଷେତ୍ରବାସୀ ବିଜ୍ଞାନ ଡିଏଭି ମହାବିଦ୍ୟାଳୟ ଫନୀ ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ା ଏହି ଅଞ୍ଚଳରେ ଶିକ୍ଷାର ଅନ୍ତୁଡ଼ିଶାଳ ପରିଚିତ ମହାବିଦ୍ୟାଳୟଟିର ସମସ୍ତ ଆଜବେଷ୍ଟସ୍‌ ବାତ୍ୟାରେ ଉଡ଼ିଯିବା ସହ ଶ୍ରେଣୀଗୃହଗୁଡ଼ିକ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ସ୍କୁଲଗୃହ ଉପରେ ବଡ଼ ବଡ଼ ଗଛଗୁଡ଼ିକ ପଡିରହିଛି। ସମ୍ପ୍ରତି ଆରମ୍ବ ହେବାକୁ ଥିବା ଜଗଜୀବନ ରାମ ଛାତ୍ରୀନିବାସର ସୁରକ୍ଷା ପାଚେରିଟି ଭୂଷୁଡି ପଡିଛି ା ମୁୁଖ୍ୟ ପାଣି ଟାଙ୍କିରେ ମଧ୍ୟ ଫାଟ ସୃଷ୍ଟିହୋଇଛି ା କଲେଜ ସୀମାସ୍ଥିତ ୧୫୦ଫୁଟ ସୁରକ୍ଷା ପାଚେରିଟି ମଧ୍ୟ ଭାଙ୍ଗି ଯାଇଛି। ନିର୍ମାଣାଧୀନ ସୁଇମିଂପୁଲଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ସାଇକେଲ ଷ୍ଟାଣ୍ଡଟିର ଛପର ଉଡ଼ିଜିିବା ସହିତ କାନ୍ଥରେ ଫାଟ ସୃଷ୍ଟି ହୋଇଛି ା ଅଧ୍ୟକ୍ଷଙ୍କ କ୍ୱାର୍ଟର ଭାଙ୍ଗିଯାଇଛି। ଜରୁରିକାଳୀନ ସମୟରେ ବିଦ୍ୟୁତ୍‌ ଯୋଗାଉଥିବା ପାଓ୍ବାର୍‌ ସିଷ୍ଟମ ଗୃହ ବାତ୍ୟାରେ ନଷ୍ଟ ହୋଇଯାଇଛି। କଲେଜରେ ଆଲୋକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ା ଗଛ ପଡ଼ି କଲେଜ ପରିସର ମଧ୍ୟରେ ଗମନାଗମନରେ ଘୋର ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଫନୀ ବାତ୍ୟାର ଦୀର୍ଘ ୧୪ ଦିନ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପରିସ୍ଥିତିରେ ଟିକେ ବି ସୁଧାର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇନି। ମାତ୍ର ଅଳ୍ପ ଦିନ ପରେ ପରୀକ୍ଷା ଅନୁଷ୍ଠିତ ହେବା ସହ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଯିବ। ଏ ସମସ୍ତ ସମସ୍ୟା ନେଇ କଲେଜ ଅଧ୍ୟକ୍ଷ ଅଶୋକ କୁମାର ବଳବନ୍ତରାୟଙ୍କୁ ପଚାରିବାରୁ ସେ କହିଥିଲେ, ସମସ୍ୟା ଦୂର ନିମନ୍ତେ ଏ ସମସ୍ତ କରିବାକୁ ଏକ ଟିମ୍‌ ଗଠନ କରାଯାଇଛି। ପ୍ରଶାସନକୁ ଏ ସମ୍ବନ୍ଧରେ ଅବଗତ କରାଯାଇଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ। ତେବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।