ଫନୀ ପୁନରୁଦ୍ଧାର ପାଇଁ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଇଡ୍‌କୋ ଦେଲା ୧୦ କୋଟି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଫନୀ ଦ୍ୱାରା ଓଡ଼ିଶା ଉପକୂଳ ବହୁତ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତଙ୍କୁ ରିଲିଫ ବଣ୍ଟନ ଏବଂ ଧ୍ୱଂସପ୍ରାୟ ଭିତ୍ତିଭୂମିର ପୁନରୁତ୍ଥାନ କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ଦୁର୍ଗତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟୁଛି। ସେହି କ୍ରମରେ ଶୁକ୍ରବାର ଇଡ୍‌କୋ ପକ୍ଷରୁ ୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଓ ଇଡ୍‌କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପରିମାଣର ଚେକ୍‌ ପ୍ରଦାନ କରିଛନ୍ତି।
ସେହିପରି ପାରାଦୀପ ଫସ୍‌ପେଟ୍‌ ଲିମିଟେଡ୍‌(ପିପିଏଲ୍‌) ୧ କୋଟି ୨୫ ଲକ୍ଷ, ୟୁଏଇସ୍ଥିତ ଓଡ଼ିଶା ସମାଜ ୩ ଲକ୍ଷ, ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର୍ସ ଆସୋସିଏଶନ ୬୧ ହଜାର, ଏମ୍‌ ଡି ଟିଆର୍‌ଏଲ୍‌ କ୍ରୋସାକି ରିଫ୍ରାକ୍ଟୋରିଜ୍‌ ଲିଃ ୩୦ ଲକ୍ଷ, କଲିକତା ଜଗନ୍ନାଥ ସେବାସମିତି ୬୦,୦୦୦ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। କଟକ ପୋଷ୍ଟାଲ ଆକାଉଣ୍ଟ୍‌ସ ଅଫିସ ରିକ୍ରିଏଶନ କ୍ଲବ ୨୫ ହଜାର, କେସି ପ୍ରଧାନ ୧ ଲକ୍ଷ, ଓଡ଼ିଶା ଅର୍ଥସେବା ସଂଘ ୩ ଲକ୍ଷ, ମଦୁରାଇସ୍ଥିତ ମୀନାକ୍ଷୀ ମିଶନ ହସ୍‌ପିଟାଲ ନିର୍ଦ୍ଦେଶକ ଡ. ନରେନ୍ଦ୍ର ନାଥ ଜେନା ୫୦ ହଜାର, ଭୁବନେଶ୍ୱରର ପର୍ଶୁରାମ ମିତ୍ର ମଣ୍ଡଳ ୧ ଲକ୍ଷ, ରଶ୍ମି ମେଟାଲିକ୍ସ ଲିଃ ୫୦ ଲକ୍ଷ, ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ୧ ଲକ୍ଷ ଟଙ୍କା ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ରୋଡିୟନ୍‌ ସଲ୍ୟୁଶନ ପ୍ରାଇଭେଟ ଲିଃ ୧ ଲକ୍ଷ ଟଙ୍କା, ଏକେଏମ୍‌ ଆଗ୍ରୋ ପ୍ରୋସେସିଂ ୨ ଲକ୍ଷ, ଅଲ୍‌ ଇଣ୍ଡିଆ ୱେଭର୍ସ ୱେଲ୍‌ଫେୟାର ଆଣ୍ଡ ଚାରିଟେବଲ ଟ୍ରଷ୍ଟ, ହିଞ୍ଜିଳି ପକ୍ଷରୁ ୨୩,୨୧୭ ଟଙ୍କା, ଭୁବନେଶ୍ୱର ଟ୍ରକ୍‌ ମାଲିକ ସଂଘ ୧,୧୧,୧୧୧ ଟଙ୍କା, ମାତୃଦତ୍ତ ବାରିକ ୧୦,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଏହିପରି କେବଳ ଶୁକ୍ରବାର ୧୯ ସଂସ୍ଥା ଏବଂ କେତେକ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୧୨ କୋଟି ୨୦ ଲକ୍ଷ ୫୦ ହଜାର ୩୨୮ ଟଙ୍କା ରିଲିଫ ପାଣ୍ଠିକୁ ମିଳିଛି।