ଫନୀ କ୍ଷୟକ୍ଷତି : ଆମ୍ବ, କାଜୁ ଫସଲ ଧ୍ୱସ୍ତବିଧ୍ୱସ୍ତ , ହଜିଯାଇଛି ନିଲାମଧାରୀଙ୍କ ନିଦ

ଟାଙ୍ଗୀ(ଖୋର୍ଦ୍ଧା),୧୩ା୫(ଡି.ଏନ.ଏ.)-ଫନୀ କାଜୁ ଓ ଆମ୍ବ ଫସଲର ପ୍ରଭୂତ କ୍ଷୟକ୍ଷତି କରିଛି। ଏଥିଯୋଗୁ ବିଶେଷ ଭାବେ କାଜୁ ବଗିଚା ନିଲାମଧାରୀଙ୍କ ନିଦ ହଜିଯାଇଛି। ଏହାର ପ୍ରାଦୁର୍ଭାବରେ ଆମ୍ବ ଓ କାଜୁ ଫସଲ ସଂପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି। ଏହା ଦେଖି କେତେଜଣ ନିଲାମଧାରୀ ଚେତା ହରାଇଥିଲେ।  କାଜୁ ଏକ ଲାଭଜନକ ଅର୍ଥକରୀ ଫସଲ ହୋଇଥିବାରୁ ଚାଷୀମାନେ ଏହାକୁ ଅଗ୍ରାଧିକାର ଦେଇଆସୁଛନ୍ତି।  ସରକାର ଏଥିପ୍ରତି ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ କରୁଥିଲେ। ପ୍ରତିବର୍ଷ ନିର୍ଦ୍ଧାରିତ ସମୟରେ ବନବିଭାଗ ଏହାକୁ ପ୍ରକାଶ୍ୟ ନିଲାମ କରି ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ଏହାର ଅସ୍ଥାୟୀ ମାଲିକାନା ସ୍ବତ୍ୱ ନିଲାମଧାରୀଙ୍କୁ ପ୍ରଦାନ କରିଥାଏ । ଏଥିପାଇଁ ନିଲାମଧାରୀଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ହେବା ସହ ବନ ବିଭାଗ ବିପୁଳ ରାଜସ୍ବ ପାଇଥାଏ । ଏବେ ଋଣ ଆଣିଥିବା ନିଲାମଧାରୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତିି। ଟାଙ୍ଗୀ ବ୍ଲକ୍‌ ଦୀକ୍ଷିତପଡ଼ା ଗ୍ରାମର ଗଙ୍ଗାଧର ବେହେରା ଚଳିତ ବର୍ଷର ଜଣେ କାଜୁ ବଗିଚା ନିଲାମଧାରୀ। ସେ ପ୍ରାୟ କୋଟିଏ ଟଙ୍କା ବିନିଯୋଗ କରି ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ କୁହୁଡି, କୋଚଡ଼ ଓ କାଣ୍ଡଗାଡିଆର ୩ଟି କାଜୁ ବଗିଚା ନିଲାମ ନେଇଥିଲେ। ଫନୀ ପ୍ରାଦୁର୍ଭାବରେ କାଜୁ ଗଛ ସବୁ ଭାଙ୍ଗିଯିବା ସହ କଞ୍ଚା ଫଳ ସବୁ ଝଡ଼ିପଡ଼ିଛି। ଏହା ଦେଖି ଗଙ୍ଗାଧର ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କ ଅଭିଯୋଗ ପାଇ ଟାଙ୍ଗୀ ବନାଞ୍ଚଳ ବିଭାଗ ପକ୍ଷରୁ ଏହି ଉଜୁଡ଼ା କାଜୁ ବଗିଚା ଅନୁଧ୍ୟାନ କରାଯାଇଥିଲା। ବର୍ତ୍ତମାନ ସେ ସରକାରଙ୍କ ଦୟା ଓ ସହଯୋଗ ପ୍ରତି ଆଶା ରଖି ଦିନ ବିତାଉଛନ୍ତି।