ଫନୀ : କୃଷ୍ଣପ୍ରସାଦବାସୀ ଆତଙ୍କିତ

କୃଷ୍ଣପ୍ରସାଦ,୧।୫(ଡି.ଏନ.ଏ.)-ଫାଇଲିନ, ହୁଡୁହୁଡୁ,ତିତିଲି ବାତ୍ୟା ଭୟ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ସାମୁଦ୍ରିକ ଝଡ ଫନୀ ଆସିବା ନେଇ କୃଷ୍ଣପ୍ରସାଦ ଅଞ୍ଚଳବାସୀ  ଆତଙ୍କିତ ହୋଇପଡିଛନ୍ତି। କେତେକ ଲୋକ ଅଞ୍ଚଳ ଛାଡି ସହରମାନଙ୍କରେ ନିଜ ସର୍ମ୍ପକୀୟମାନଙ୍କ ଘରକୁ ଚାଲିଯାଉଥିବା ଜଣାଯାଇଛି । ବାତ୍ୟା ଭୟରେ ଚାଷୀମାନେ ଟାଇଚୁନ ଧାନ ଅଧା ପାଚିଲାରୁ ଅମଳ କରି ନେଉଥିବା ଦେଖାଯାଉଛି। ଏ ସମ୍ପର୍କରେ ପିଟିଶାଳ ଗ୍ରାମର ଆରତ ପଲେଇ କୁହନ୍ତି , ଗତ ୩ଟି ବାତ୍ୟାରେ ଘରଦ୍ୱାର ସହିତ ଫସଲ ବହୁ ପରିମାଣରେ ନଷ୍ଟ ହୋଇଯାଇଥିଲା। ସେହି ଛାନିଆ ମନରୁ ଏଯାଏ ଯାଇନାହିଁ। ଏବେ ଫନୀ ବାତ୍ୟା ଭୟରେ ଜମିରେ ହୋଇଥିବା ଧାନ ଫସଲ ଅଧା ପାଚିଲାରୁ ମେଶିନ୍‌ ଦ୍ୱାରା ଅମଳ କରିବାରେ ଲାଗିଛୁ। ସମୁଦ୍ର କୂଳରେ ଥିବା ସିଆଣ୍ଡି,ନବା,ରାମଲେଙ୍କା,ଖିରିସାହି  ଅଞ୍ଚଳର ମତ୍ସ୍ୟଜୀବୀମାନେ ନିଜ ଡଙ୍ଗାକୁ ସୁରକ୍ଷିତ ରଖିବା ପାଇଁ ବାଲି ଉପରକୁ ଟାଣି ଆଣି ବାଉଁଶ ପୋତି ବାନ୍ଧିବାରେ ଲାଗିଛନ୍ତି। ସଂପୃକ୍ତ ବ୍ଲକରେ ୪୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୃହ ରହିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅଧା ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛ। କେଉଁଠି ବିଦ୍ୟୁତ୍‌ ନାହିଁ ତ କେଉଁଠି ପାଣି ମୋଟର ଅଚଳ ହୋଇପଡିଛି । ସ୍ବଳ୍ପ ସମୟ ମଧ୍ୟରେ ଏ ସବୁ ମରାମତି କରାଯାଇ କିଭଳି ଭାବରେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଗୃହକୁ ସ୍ଥାନାନ୍ତର  କରାଯିବ ତାହା ଏବେ ଚିନ୍ତାର ବିଷୟ ହୋଇଛି।  ଜିଲାସ୍ତରରେ ଏହାର ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ଆଖିରୁ ନିଦ ହଜିଯାଇଛି ା ଆଉ ଗୋଟିଏ ଦିନରେ ଲୋକମାନଙ୍କୁ ଡାକବାଜି ଯନ୍ତ୍ର, ସଭା ସମିତି ଦ୍ୱାରା କିଭଳି ଭାବରେ ସଜାଗ କରାଯାଇପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଙ୍ଗଳବାର ରାତ୍ରରେ ଜିଲାପାଳଙ୍କ ସଭାଗୃହରେ ସଚେତନ ପାଇଁ ଏକ ସଭାର ଆୟୋଜନ କରାଯାଇଛି ା ଏ ସମ୍ପର୍କରେ ଦଳିତ ସେବା ସଙ୍ଗଠନର ସମ୍ପାଦକ ପ୍ରବୀର କୁମାର ନାୟକ ଙ୍କୁ ପଚାରିବାରେ ସେ  ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା କମିଟିର ସଦସ୍ୟମାନଙ୍କୁ ଏ ନେଇ  ସଜାଗ ରହିବା ନିମନ୍ତେ ସଚେତନ କରାଯାଇଥିବା କହିଥିଲେ। ଗର୍ଭବତୀ,ଦିବ୍ୟାଙ୍ଗମାନଙ୍କୁ ପ୍ରଥମେ ଉପକୂଳ  ଅଞ୍ଚଳରୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି।