Categories: ଗଞ୍ଜାମ

ଫନୀରେ ଚିନାବାଦାମ ଫସଲ ଉଜୁଡିଲା

ପୋଲସରା,୧୨ା୫(ଡି.ଏନ.ଏ.)- ଫନୀ ପ୍ରଭାବରେ ପୋଲସରାଞ୍ଚଳର ନିମିନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନବରଗାଁର ବହୁ ଚାଷୀଙ୍କ ଚିନାବାଦାମ ଫସଲ ବ୍ୟାପକ କ୍ଷତି ହୋଇଛି। ଚାଷୀମାନେ ସରକାରୀ ବିହନ ବିକ୍ରୟ କେନ୍ଦ୍ରରୁ ଡିବିଟିଏଲ କାର୍ଡ ଜରିଆରେ ଚିନାବାଦାମ ବିହନ ଆଣି ଲଗାଇଥିଲେ। ଫସଲ ଅମଳ ବେଳକୁ ବାତ୍ୟା ଫନୀ ମାଡ଼ି ଆସିବାରୁ ଲଗାଣ ବର୍ଷା ଜାରି ରହିଥିଲା। ଫଳରେ ଚିନାବାଦାମ ସବୁ ଗଜା ହୋଇଥିଲା। ସାନବରଗାଁର ଚାଷୀ ରାଜୁ ଗୌଡ଼, ପୁଷ୍ପଲତା ଗୌଡ଼, ଧୋବା ସାହୁ, ଶିବ ପ୍ରସାଦ ସାହୁ ପ୍ରମୁଖ ଶୁକ୍ରବାର ସହକୃଷି ଅଧିକାରୀ ଅନିରୁଦ୍ଧ ତରାଇ ଓ ତହସିଲଦାର ଅଶୋକ ପ୍ରଧାନଙ୍କୁ ଭେଟି ଫସଲ କ୍ଷୟକ୍ଷତି ସମ୍ପର୍କରେ କହିଥିଲେ। ବିହନ ବାବଦକୁ କ୍ଷତିପୂରଣ ମିଳିବା ଲାଗି ଚାଷୀମାନେ ଦାବି କରିଛନ୍ତି। ଉକ୍ତ ସମସ୍ୟାକୁ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଗ୍ରାମ୍ୟ କୃଷି କର୍ମଚାରୀ ଅନାଦି ସାହୁ ଓ କୃଷି ଅଧିକାରୀ ସୀମାଞ୍ଚଳ ଦାସ ଆସି ଚିନାବାଦାମ ଫସଲ ଦେଖିଥିଲେ।