ଫନୀରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି: କେନ୍ଦ୍ରକୁ ୯୬ କୋଟି ଟଙ୍କା ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ ସହ ମାଧ୍ୟମିକ ଶିକ୍ଷା ସମ୍ବନ୍ଧ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୯୬ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ମନ୍ତ୍ରୀ ଦାଶ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ମନ୍ତ୍ରୀ ଦାଶ ସର୍ବଭାରତୀୟ ସ୍ତରରେ ଏକକ ଓଟିଇଟି ପରୀକ୍ଷା ପ୍ରଚଳନ କରିବା, ମଧ୍ୟାହ୍ନଭୋଜନରେ ବୃଦ୍ଧି କରାଯାଇଥିବା ପାରିଶ୍ରମିକ ବାବଦରେ ମୁଣ୍ଡପିଛା ପ୍ରତି ପାଚିକା ସହାୟକଙ୍କୁ ୬୦୦ ଟଙ୍କା ଅଧିକ ପ୍ରଦାନ କରିବାକୁ ଦାବି ଜଣାଇଥିଲେ। ପ୍ରାଥମିକ ଶିକ୍ଷକମାନଙ୍କର ଆବଶ୍ୟକ ଯୋଗ୍ୟତା ପାଇଁ ଅବଧି ସୀମାକୁ ୨୦୨୦ ମାର୍ଚ୍ଚ ୩୧ ତାରିଖକୁ ବୃଦ୍ଧି କରିବାକୁ ଦାବି ଉପସ୍ଥାପନ କରିଛନ୍ତିି।
ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ନୂତନ ଶିକ୍ଷାନୀତି-୨୦୧୯ ଉପରେ ବିଭିନ୍ନ ଅନୁଷ୍ଠାନର ପ୍ରତିକ୍ରିୟା ସଂଗ୍ରହ ପାଇଁ ଥିବା ଅବଧିକୁ ବୃଦ୍ଧିକରିବା ନିମନ୍ତେ ମଧ୍ୟ ଅନୁରୋଧ କରିଛନ୍ତି। କେନ୍ଦ୍ରୀୟ ଶିକ୍ଷକ ଶିକ୍ଷା ଓ ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶଧନ ବାବଦକୁ ୨୨୯୧.୫୩ ଲକ୍ଷ ଅନୁଦାନ ଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗ୍ରାମ ଅଥରିଟି ଅନ୍ତର୍ଗତ ବିଆର୍‌ସି କୋଅର୍ଡିନେଟର ପାଇଁ ଅତିରିକ୍ତ ଖର୍ଚ୍ଚ ୧୦୬୭. ୭୯ ଲକ୍ଷ ଟଙ୍କା ଦେବାକୁ ମନ୍ତ୍ରୀ ଦାଶ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି।