ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ଅକ୍ଟୋବର ୨ରେ ବଡ଼ଦାଣ୍ଡରେ ଶୋଭାଯାତ୍ରା

ପୁରୀ ଅଫିସ, ୨୮।୯:  ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନକୁ ଆସନ୍ତା ଅକ୍ଟୋବର ୨ ତାରିଖରୁ ଆହୁରି ଜୋର୍‌ଦାର କରାଯିବ। ଏ ସଂକ୍ରାନ୍ତରେ ଏକ ବୈଠକ ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨ ତାରିଖରେ ବଡ଼ଦାଣ୍ଡରେ ଏକ ବିଶାଳ ଶୋଭାଯାତ୍ରା କରାଯିବ। ଘରକୁ ଘର ବୁଲି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ପାଇଁ ମଧ୍ୟ ଅଭିଯାନ ଆରମ୍ଭ ହେବ। ବିଭିନ୍ନ କାର୍ଯ୍ୟକ୍ରମ ବିବାହ, ବ୍ରତ ସମୟରେ ହୋଟେଲ କିମ୍ବା କଲ୍ୟାଣ ମଣ୍ଡପରେ ଥର୍ମୋକୁଲ ପ୍ଲେଟ ଓ ଗ୍ଲାସ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବ। ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଏହି ପ୍ଲାଷ୍ଟିକମୁକ୍ତ ଅଭିଯାନରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ, କ୍ଷୁଦ୍ର ଓ ବଡ଼ ବ୍ୟବସାୟୀ ଏବଂ ହୋଟେଲ ସଂଘକୁ ମଧ୍ୟ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବ୍ୟବସାୟୀ, ହୋଟେଲ ମାଲିକ, ବ୍ୟବସାୟୀ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ।