ପ୍ଲାଜ୍‌ମା ଥେରାପିର ଅଧିକ ପରୀକ୍ଷା ଆବଶ୍ୟକ: ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ,୫ା୫: କରୋନା ଭୂତାଣୁକୁ ନାଶ କରିବା ପାଇଁ ପ୍ଲାଜ୍‌ମା ଥେରାପି ଉପଯୁକ୍ତ ଚିକିତ୍ସା ବୋଲି କହିହେବ ନାହିଁ। ଏହି ଚିକିତ୍ସାର ପ୍ରଭାବ ସମ୍ପର୍କରେ ନିଶ୍ଚିତ ହେବାକୁ ହେଲେ ବ୍ୟାପକ ନିୟନ୍ତ୍ରିତ ପରୀକ୍ଷା କରାଇବାକୁ ପଡ଼ିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗୁରୁତର ଅସୁସ୍ଥ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ଲାଗି ଅନେକ ରାଜ୍ୟ ପ୍ଲାଜ୍‌ମା ଚିକିତ୍ସା ସମ୍ପର୍କରେ ବିଚାର କରୁଛନ୍ତି। ଏହି ଚିକିତ୍ସାରେ ଆରୋଗ୍ୟ ହୋଇଥିବା କରୋନା ରୋଗୀଙ୍କ ରକ୍ତରୁ ଆଣ୍ଟିବଡ଼ି ସଂଗ୍ରହ କରାଯାଇ ଏହାକୁ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଶରୀରରେ ଛଡ଼ାଯାଇଥାଏ। ଏହା ସଂକ୍ରମଣ ବିରୋଧରେ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ସକ୍ରିୟ କରିଥାଏ ବୋଲି କୁହାଯାଉଛି। ତେବେ ଏହି ଚିକିତ୍ସା ପରୀକ୍ଷାମୂଳକ ପର୍ଯ୍ୟାୟରେ ଥିବାରୁ ଏହାକୁ ପ୍ରୟୋଗ ନ କରିବା ଲାଗି ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରାଇଥିଲା। ଏପରି ଚିକିତ୍ସା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା। ଏହାସତ୍ତ୍ୱେ ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ପ୍ଲାଜ୍‌ମା ଥେରାପି ଚିକିତ୍ସା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଅଳ୍ପ ସଂଖ୍ୟକ କରୋନା ଆକ୍ରାନ୍ତଙ୍କୁ ଏଭଳି ଚିକିତ୍ସା କରାଇବାକୁ କେନ୍ଦ୍ର ସରକାର କେତେକ ରାଜ୍ୟକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ବର୍ତ୍ତମାନର ଚିକିତ୍ସାଠାରୁ ଏହି ଚିକିତ୍ସାରେ ବିଶେଷ ଫରକ ଆସିବ ନାହିଁ ବୋଲି ଚିକିତ୍ସା ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି। ଏହା ଉପରେ ବ୍ୟାପକ ପରୀକ୍ଷାର ଆବଶ୍ୟକତା ରହିଛି। ମାତ୍ର ଅଳ୍ପ କେତେଜଣ ରୋଗୀ ଏହି ଚିକିତ୍ସାରୁ ଉପକୃତ ହୋଇଥିବା ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ କହିଛନ୍ତି। ପ୍ଲାଜ୍‌ମା ଚିକିତ୍ସା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ତେବେ ଏଥିପାଇଁ ଚିକିତ୍ସାରେ ନାଟକୀୟ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ ବୋଲି ସେ ମତ ଦେଇଛନ୍ତି।

Share