ପ୍ରୋ-ମିନେରାଲ କାରଖାନା ଚାଲୁ କରିବାକୁ ଦାବି: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ

ଝୁମ୍ପୁରା, ୮ା୨(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ବସନ୍ତପୁର ପଞ୍ଚାୟତରେ ଅବସ୍ଥିତ ପ୍ରୋ-ମିନେରାଲ କାରଖାନା ଚଳାଇବାକୁ ବସନ୍ତପୁର, ନୟାଗଡ ଏବଂ ମଲଦା ପଞ୍ଚାୟତବାସୀ ଦାବି କରିଛନ୍ତି। ପଞ୍ଚାୟତବାସୀଙ୍କ ଜୀବନଜୀବିକା କଥାକୁ ଚିନ୍ତା କରି ପଦକ୍ଷେପ ନେବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଗିରିଧାରୀ ବେହେରା, ଦାସ ମହାକୁଡ, ବିପିନ ମହାକୁଡ, ଧନେଶ୍ୱର ବେହେରା, ନିରନ ବେହେରା, ଚକ୍ର ମୁଣ୍ଡା, ଶୁକ୍ରା ମୁଣ୍ଡା,ଦଲ ନାଏକ, ସୁନିଆ ମୁଣ୍ଡା, ଅରୁଣ ମହାକୁଡ, କୁନା ମହାକୁଡ, ଚନ୍ଦ୍ର ମୁଣ୍ଡା ପ୍ରମୁଖ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦାବିପତ୍ରରେ ୫୦୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଦସ୍ତଖତ ରହିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଲୋକ କାରଖାନା ପାଇଁ ଜମି ଯୋଗାଇ ଦେଇଥିଲେ।
ବସନ୍ତପୁର ପଞ୍ଚାୟତବାସୀ ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ୮ବର୍ଷ ପୂର୍ବରୁ ଏହି ପଞ୍ଚାୟତରେ ପ୍ରୋ-ମିନେରାଲ କାରଖାନା ତିଆରି ହୋଇଥିଲା। ବସନ୍ତପୁର ପଞ୍ଚାୟତକୁ ଲାଗି ଯୋଡା ଖଣିମଣ୍ଡଳ ରହିଛି। ଏ ଅଞ୍ଚଳରେ କେବଳ ଖଣି ରହିଥିବା ବେଳେ, ପ୍ରୋ ମିନେରାଲ ଏକମାତ୍ର କାରଖାନା ରହିଛି। ତେବେ କିଛି ବର୍ଷ କାରଖାନା ଚାଲିବା ପରେ ୪ବର୍ଷ ହେଲା ବନ୍ଦ ରହିଛି। କାରଖାନା ବନ୍ଦ ହେବା ଫଳରେ ପ୍ରତ୍ୟହ ଓ ପରୋକ୍ଷ ଭାବେ ଜୀବନଜୀବିକା ଚଳାଉଥିବା ପାଖାପାଖି ୧୫୦୦ ପରିବାର ବହୁ ଅସୁବିଧା ଦେଇ ଗତି କରୁଛନ୍ତି। ଏବେ ପ୍ରୋ-ମିନେରାଲ କାରଖାନାକୁ ଆଦିତ୍ୟ ବିର୍ଲାଗ୍ରୁପ ନେଇ ବନ୍ଦ ପଡିଥିବା କାରଖାନାର ପୁନରୁଦ୍ଧାର କାମ ଚାଲୁ ରଖିଛି। ଏହି ମରାମତି କାମରେ ଏହି ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ୱ ଲୋକ କାମ କରୁଛନ୍ତି। ତେବେ କାରଖାନା ଚାଲିବା ନେଇ ଏହି ଅଞ୍ଚଳବାସୀଙ୍କ ଆଶା ଉଜ୍ଜୀବିତ ହୋଇଛି। କାରଖାନା ବନ୍ଦ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୫୦୦ରୁ ଊର୍ଦ୍ଧ୍ୱ ପରିବାରର ଜୀବନଜୀବିକା ଉଜୁଡିଯିବ। ପ୍ରୋ-ମିନେରାଲ କାରଖାନା ଚଳାଇବା ଦାବି ନେଇ ବସନ୍ତପୁର ପଞ୍ଚାୟତବାସୀ ଜିଲାପାଳଙ୍କୁ ଭେଟିବା ସହିତ କେନ୍ଦୁଝର ପୋଲିସ ଆରକ୍ଷୀ ଅଧୀକ୍ଷକ, ଚମ୍ପୁଆ ଉପଜିଲାପାଳ, ଯୋଡା ଖଣି ଉପନିର୍ଦ୍ଦେଶକ, ଭୁବନେଶ୍ୱର ଓଡିଶା ଖଣି ନିର୍ଦ୍ଦେଶକ, ଭୁବନେଶ୍ୱର ଖଣି ଓ ଷ୍ଟିଲ ସେକ୍ରେଟାରୀଙ୍କୁ ଦାବିପତ୍ର ପଠାଇଛନ୍ତି।