Categories: ମେଟ୍ରୋ

ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ରୀ

ଭୁବନେଶ୍ୱର,୩ା୧(ବ୍ୟୁରୋ): ପ୍ରେମ ପାଇଁ ଜୀବନ ହାରିଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ରୀ। ହଷ୍ଟେଲ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ହେଲେ ପଶ୍ଚିମବଙ୍ଗର ଝୁମ୍ପା ଦେବନାଥ (୨୭)। ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ଛକସ୍ଥିତ କ୍ରିଷ୍ଣା ଏନ୍‌କ୍ଲେଭ୍‌ରେ ଥିବା ଘରୋଇ ହଷ୍ଟେଲ କୋଠରିରୁ ପୋଲିସ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ଏନେଇ ଗୁରୁବାର ଏକ ଅପମୃତ୍ୟୁ ମାମଲା ନଂ.୨/୨୦୨୦ ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।
ପୋଲିସ ସୂଚନା ଅନୁଯାୟୀ, ଝୁମ୍ପା ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢ଼ୁଥିଲେ। କ୍ରିଷ୍ଣା ଏନ୍‌କ୍ଲେଭ୍‌ସ୍ଥିତ ହଷ୍ଟେଲର ଏକ ରୁମ୍‌ରେ ଅନ୍ୟଜଣେ ସହପାଠୀଙ୍କ ସହ ରହୁଥିଲେ। ନୂଆବର୍ଷ ପାଇଁ ସହପାଠୀ ଜଣକ ଘରକୁ ଚାଲିଯାଇଥିଲେ। ଝୁମ୍ପା ରୁମ୍‌ରେ ଏକୁଟିଆ ଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ଛାତ୍ରୀ ଜଣକ ବେକରେ ଓଢଣି ଲଗାଇ ଫ୍ୟାନ୍‌ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଫୋନ୍‌ କରିଥିଲେ ମଧ୍ୟ ସେ ଉତ୍ତର ଦେଇ ନ ଥିଲେ। କିଛି ଘଟଣା ଘଟିଥିବା ଆଶଙ୍କା କରି ସେ ଛାତ୍ରୀଙ୍କ ହଷ୍ଟେଲ ଆଗକୁ ଆସି ବଡ଼ ପାଟିକରି ଝୁମ୍ପାକୁ ଡାକିବା ସହ ହୋହଲ୍ଲା କରିଥିଲେ। ଏହାଶୁଣି ଉକ୍ତ ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀମାନେ ଝୁମ୍ପାଙ୍କ ରୁମ୍‌କୁ ଯାଇ କବାଟ ବାଡେଇ ଡାକିଥିଲେ ମଧ୍ୟ ସେ ଖୋଲି ନ ଥିଲେ। ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଝୁଲନ୍ତା ଅବସ୍ଥାରେ ଝୁମ୍ପାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁରୁଷ ବନ୍ଧୁଙ୍କ ସହ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଝଗଡାକୁ ନେଇ ଯୁବତୀ ଏଭଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ପୋଲିସ ଏନେଇ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ପୋଲିସ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ସେମାନେ ଆସିବା ପରେ ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।