ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା ଘଟଣା: ଯୁବତୀଙ୍କ ବିରୋଧରେ ଅଭିଯୋଗ କଲେ ମୃତକଙ୍କ ଭାଇ

କଟକ ଅଫିସ, ୧୩ା୧: ଯୁବତୀଙ୍କ ନିକଟରୁ ପ୍ରତାରଣାର ଶିକାର ହେବା ପରେ ମନୋଜ ସ୍ବାଇଁ ନାମକ ଯୁବକ ଶନିବାର କଟକ ଜିଲା ମଧୁପାଟଣା ଥାନା ଅଧୀନ ତାଳଦଣ୍ଡା କେନାଲ ନିକଟ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା କରିଥିଲେ। ହେଲେ ମନୋଜଙ୍କ ବଡଭାଇ ବିନୋଦ ରବିବାର କଟକ ଜିଆରପି ଥାନାରେ ସମ୍ପୃକ୍ତା ଯୁବତୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗପତ୍ରରେ ଦର୍ଶାଯାଇଛି, ଯୁବତୀ ଜଣକ ମନୋଜଙ୍କ ସହ ଭଲପାଇବାର ଅଭିନୟ କରୁଥିଲେ। ମନୋଜଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ନିକଟରୁ ଟଙ୍କା ନେଉଥିଲେ। ଏଥିସହ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ, ଯେଉଁଥିପାଇଁ ମନୋଜ ଆତ୍ମହତ୍ୟା କରିଛନ୍ତି ବୋଲି ବିନୋଦ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ଜିଆରପି ଏକ ମାମଲା(ନଂ.୨/୨୦) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମନୋଜଙ୍କ ଘର ନିଆଳି ଅଞ୍ଚଳରେ। ସେ କଟକ ରାଉସାପାଟଣାରେ ଘର ଭଡା ନେଇ ରହୁଥିଲାବେଳେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ଏହି ସମୟରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ପଢୁଥିବା ଯାଜପୁର ଜିଲାର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରାୟ ୩ ବର୍ଷର ପ୍ରେମ ସମ୍ପର୍କ ଭିତରେ ସମ୍ପୃକ୍ତା ଯୁବତୀଙ୍କୁ ବିବାହ କରିବାର ସ୍ବପ୍ନ ଦେଖିଥିଲେ ମନୋଜ। ତେବେ ଯୁବତୀ ଜଣକ ତାଙ୍କୁ ବାହା ହେବାକୁ ମନା କରିଦେବାରୁ ସେ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ମନୋଜ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଓ ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ମିଳିଥିଲା। ଉକ୍ତ ସୁଇସାଇଡ୍‌ ନୋଟ୍‌ରେ ମନୋଜଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ହିଁ ଦାୟୀ ବୋଲି ଲେଖାଯାଇଥିଲା।