ପ୍ରସ୍ତାବିତ ପାଉଁଶ ଇଟା କାରଖାନାକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ପାଟଣା ,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ତଥା ପାଟଣା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଟାଇଁସିରା ମୌଜାରେ ପ୍ରସ୍ତାବିତ ଏକ ପାଉଁଶ ଇଟା କାରଖାନା ନିର୍ମାଣକୁ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ବିରୋଧ କରାଯାଇଛି।
ସୂଚନା ଅନୁଯାୟୀ, ଉକ୍ତ ମୌଜାର ଏକ ପ୍ଲଟରେ ନିର୍ମାଣ ହେବାକୁ ଥିବା ଫ୍ଲାଇ ଆଶ୍‌ ଫ୍ୟାକ୍ଟ୍ରିକୁ ଉକ୍ତ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଜିଲାପାଳ, ପାଟଣା ତହସିଲଦାର, ଥାନା ଅଧିକାରୀ ଓ ବଡ଼ପାଟଣା ସରପଞ୍ଚଙ୍କୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ କାରଖାନା ଜମିଟି ଜନବସତି ଓ ବିଦ୍ୟାଳୟକୁ ଲାଗି ରହିଛି। ତେଣୁ ଏଠାରେ କାରଖାନା ନିର୍ମାଣ ହେଲେ ସେଥିରୁ ନିର୍ଗତ ଧୂଳିରେ ସ୍ଥାନୀୟ ଲୋକେ ରୋଗାକ୍ରାନ୍ତ ହେବେ। ଏଥିସହ ସମ୍ପୃକ୍ତ ଜମି ନିକଟ ଦେଇ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଯାଇଛି। ଏଭଳି ସ୍ଥାନରେ ଫ୍ଲାଏ ଆଶ୍‌ ଇଟା କାରଖାନା ହେଲେ ଏହା ସାଧାରଣ ଲୋକଙ୍କୁ ବହୁ ଅସୁବିଧାର ପକାଇବ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ତେଣୁ ଏହି କାରଖାନା ନିର୍ମାଣକୁ ଅନୁମତି ନ ଦେବାକୁ ଗ୍ରାମବସୀ ଅନୁରୋଧ କରିଛନ୍ତି।