ପ୍ରସ୍ତାବିତ ଧଉରାଗୋଠ ପ୍ରକଳ୍ପ ଦେଖିଲେ ସର୍ବୋଚ୍ଚ ଯନ୍ତ୍ରୀ: ଶୀଘ୍ର ମତାମତ ଦେବାକୁ ଗ୍ରାମବାସୀଙ୍କୁ ପରାମର୍ଶ

ଆଠମଲ୍ଲିକ/ବଇଣ୍ଡା,୨୫।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଅକ୍ଷୟ କୁମାର ବାନାର୍ଜୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗୁରୁବାର ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ପ୍ରସ୍ତାବିତ ଧଉରାଗୋଠ ପ୍ରକଳ୍ପ ଓ ନିର୍ମାଣାଧୀନ ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଇଂ. ବାନାର୍ଜୀ ପ୍ରଥମେ ପ୍ରସ୍ତାବିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ସେ ଓ ତାଙ୍କ ଟିମ୍‌ ଚାଲି ଚାଲି ବାରିବାଙ୍କିଆ ନାଳ ନିକଟକୁ ଯାଇ ନାଳର ଭୌଗୋଳିକ ସ୍ଥିତି ସମୀକ୍ଷା କରିଥିଲେ। ପରେ ପେଡ଼ିପଥର ପଞ୍ଚାୟତକୁ ଯାଇ ପଞ୍ଚାୟତ ସଭାଗୃହଠାରେ ଜନସାଧାରଣଙ୍କ ସହ ପ୍ରକଳ୍ପ କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମବାସୀ ପଲ୍ଲିସଭା ମାଧ୍ୟମରେ ସେମାନଙ୍କ ମତାମତ ଯେତେଶୀଘ୍ର ଦେବେ ସରକାର ସେତେଶୀଘ୍ର ଧଉରାଗୋଠ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିପାରିବେ ବୋଲି ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ପାଇଁ ୧୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ପ୍ରକଳ୍ପ ନିର୍ମାଣ ହେଲେ ୩ଟି ପଞ୍ଚାୟତର ୨୨ଟି ଗ୍ରାମର ୨୨୩୦ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ବୋଲି ଉକ୍ତ ଟିମ୍‌ ସଦସ୍ୟ ପ୍ରକାଶ କରିଥିଲେ।