ପ୍ରଶାସନ ପକ୍ଷରୁ ଚାଉଳ ମିଲ୍‌ ଉପରେ ଅତର୍କିତ ଚଢ଼ାଉ, ମିଲର୍‌ଙ୍କୁ ତାଗିଦ

ପୁରୁଷୋତ୍ତମପୁର, ୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଚାଉଳ ମିଲ ଉପରେ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ସହକାରୀ ଜିଲା ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ବାଇଁ, ପୁରୁଷୋତ୍ତମ ପୁର ଯୋଗାଣ ନିରିକ୍ଷକ ପିତାମ୍ବର ସେଠୀ ମଙ୍ଗଳବାର ସନ୍ଧ୍ୟାରେ ଅତର୍କିତ ଭାବେ ଚଢାଉ କରି ମିଲ୍‌ରେ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି। ଚାଷୀଙ୍କଠାରୁ ସମବାୟ ସମିତି ମଣ୍ଡି ମାଧ୍ୟମରେ ମିଲରମାନେ ଧାନକୁ କିଣୁଥିବାବେଳେ ଉକ୍ତ ପରିମାଣର ଧାନ ମିଲ୍‌ରେ ରହିଛି ନା ମଣ୍ଡି ବଦଳରେ ଚାଷୀଙ୍କଠାରୁ ମିଲର ଠକି ଧାନ କିଣୁଛନ୍ତି ତାହା ଅଧିକାରୀମାନେ ଖାନତଲାସି କରିଥିଲେ। ଏହି ସମୟରେ ଗୋଟିଏ ମିଲରେ କିଛି ଅଧିକ ଧାନ ଥିବାର ଦେଖାଯାଇଥିଲା। ଏଥିନେଇ ମିଲରଙ୍କୁ ତାଗଦ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଏହି ଚଢାଉକୁ ନେଇ ମିଲର ମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ଅଭାବି ଧାନ ବିକ୍ରିର ଅଭିଯୋଗକୁ ନେଇ ପ୍ରଶାସନ ପକ୍ଷରୁ ଏଭଳି ଚଢାଉ ଆରମ୍ଭ କରାଯାଇଛି ।