ପ୍ରବାସୀ ଶ୍ରମିକଙ୍କୁ ମିଳୁନି କ୍ବାରାଣ୍ଟାଇନ ସେଣ୍ଟର, ରାସ୍ତା ଉପରେ ବିତୁଛି ଜୀବନ

ବରଗଡ଼ ଅଫିସ୍‌, ୬ା୫-ଝାରଖଣ୍ଡରୁ ଅତାବିରାକୁ ଆସିଥିବା ଏକ ପ୍ରବାସୀ ଶ୍ରମିକ ପରିବାରକୁ ହଟହଟା ହେବାକୁ ପଡ଼ିଛି। ରହିବା ପାଇଁ ଜାଗା ମିଳୁ ନଥିବା ଯୋଗୁ ସେମାନଙ୍କୁ ରାସ୍ତାକଡ଼ ଖୋଲା ଆକାଶତଳେ ଜୀବନ ଅତିବାହିତ କରିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଅତାବିରାରେ ଏକ ଘରଭଡ଼ା ନେଇ ଏହି ପରିବାର ରହୁଥିଲେ। ଏଠାରେ କାମ କରି ସେମାନେ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ କିଛିଦିନ ପୂର୍ବରୁ ସେମାନେ ଝାରଖଣ୍ଡ ଯାଇଥିଲେ। ଘର ମାଲିକଙ୍କ ସହିତ କଥାବାର୍ତ୍ତା ପରେ ପୁଣି ସେମାନେ ଅତାବିରାକୁ ଫେରିଥିଲେ। ମଙ୍ଗଳବାର ଅତାବିରା ପହଞ୍ଚିବା ପରେ ଘର ମାଲିକ ସେମାନଙ୍କୁ ଭଡ଼ାଘରେ ରହିବାକୁ ମନା କରି ଦେଇଥିଲେ। ଅନ୍ୟପକ୍ଷେ ଅତାବିରାର କୌଣସି କ୍ବାରାଣ୍ଟାଇନ ସେଣ୍ଟରରେ ରଖିବାକୁ ସେମାନେ ଗୁହାରି କରୁଛନ୍ତି । ଏ ନେଇ ସ୍ଥାନୀୟ ଥାନାକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି । ତେବେ ଏ ସମ୍ପର୍କରେ ଜାଣିବା ପରେ ବରଗଡ଼ ଜିଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ଏ ନେଇ ମୁଖ୍ୟମନ୍ତ୍ରୀ ଏବଂ ଏସଆରସିଙ୍କୁ ଟୁଇଟ୍‌ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି।