Categories: ମେଟ୍ରୋ

ପ୍ରବାସୀ ଶ୍ରମିକଙ୍କୁ ଫେରାଇଆଣିବା ନିଷ୍ପତ୍ତି ଭୁଲ୍‌: ନିରଞ୍ଜନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ବାହାର ରାଜ୍ୟରେ ଥିବା ଶ୍ରମିକମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଭୁଲ୍‌ ହେବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଲକ୍‌ଡାଉନ ଖୋଲିବା ପରେ ବସ୍‌ କିମ୍ବା ଟ୍ରେନ୍‌ରେ ସେମାନଙ୍କୁ ଆଣିବା ଦ୍ୱାରା ସଂକ୍ରମଣ ହେବ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ଏହା କରା ନ ଯାଇ ବାହାରେ ଥିବା ଶ୍ରମିକଙ୍କୁ ସେଠାରେ ଭଲରେ ରଖି ଖାଦ୍ୟ ବ୍ୟବସ୍ଥା ସହିତ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିରଞ୍ଜନ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶା ଫେରିଲେ ସେମାନେ କ’ଣ କରିବେ, ଏଠାରେ ଚାକିରି ନାହିଁ। ଆଗକୁ ଅବସ୍ଥା ଆହୁରି ସାଂଘାତିକ ହେବା ସମ୍ଭାବନା ରହିଛି। କରୋନା ସଂକ୍ରମଣ ରୋକିବା ଦିଗରେ ପୋଲିସ, ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ପ୍ରଶଂସନୀୟ। ସରକାର ସ୍ବାସ୍ଥ୍ୟକର୍ମୀଙ୍କ ଭଳି ପୋଲିସଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା କରିବାର ଆବଶ୍ୟକତା ଥିଲା। ଗ୍ରାମାଞ୍ଚଳରେ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ଦେଇଛନ୍ତି, ହେଲେ ଏହିସବୁ ଅଞ୍ଚଳରେ ଗରିବ ଏବଂ ମଧ୍ୟବିତ୍ତଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ଗତ ୨୦ବର୍ଷ ହେଲା ରାଶନ କାର୍ଡ ନ ପାଇ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ ଅଧିକ ଅସୁବିଧା ଘେରକୁ ଚାଲିଗଲେଣି ବୋଲି ପିସିସି ସଭାପତି କହିଛନ୍ତି। ଗୁରୁବାର ନିରଞ୍ଜନ ଇଲେକ୍ଟ୍ରୋନିକ ଗଣମାଧ୍ୟମର ଖବରଦାତା ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ଏକ ଦାବିପତ୍ର ପୋଲିସ କମିଶନରଙ୍କୁ ପ୍ରଦାନ କରିଛନ୍ତି। ମହାରାଷ୍ଟ୍ରରେ ହୋଇଥିବା ଗୋଷ୍ଠୀ ହିଂସା ବିଷୟରେ ଗତ ୨୧ତାରିଖରେ ଏକ ଟିଭି ଚ୍ୟାନେଲରେ ଅର୍ଣ୍ଣବ ଉପସ୍ଥାପକ ଥିଲେ। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ରଖିଥିବା ନେଇ ନିରଞ୍ଜନ ଅଭିଯୋଗ କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।