Categories: ଗଞ୍ଜାମ

ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ: ନିର୍ଦ୍ଦେଶନାମା ଜାରି କଲା ବିଏମ୍‌ସି

ବ୍ରହ୍ମପୁର ଅଫିସ,୭ା୫-ବ୍ରହ୍ମପୁରକୁ ଗୁଜୁରାଟ, ମହାରାଷ୍ଟ୍ର ଓ କେରଳ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆ ହୋମ କ୍ବାରାଣ୍ଟାଇନରେ ରହି ପାରିବେ ନାହିଁ। ସେମାନେ ପ୍ରଶାସନ ପକ୍ଷରୁ କରାଯାଇଥିବା ଇନଷ୍ଟିଚ୍ୟୁଟନାଲ ତଥା ସରକାରୀ କ୍ବାରାଣ୍ଟାଇନ କେନ୍ଦ୍ରରେ ରହିବାକୁ ପଡିବ। ଗୁରୁବାର ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ଏଭଳି ନିଦ୍ଦେର୍ର୍ଶନାମା ଜାରି କରାଯାଇଛି। ବର୍ତ୍ତମାନ ଗୁଜୁରାଟରୁ ଆସିଥିବା ୨୧ ପ୍ରବାସୀ ଓଡ଼ିଆଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲାକୁ ରେଡ଼ ଜୋନ ଭାବେ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେରଳ, ମହାରାଷ୍ଟ୍ର, ଗୁଜୁରାଟ ଭଳି କରୋନା ସଂକ୍ରମଣ ଅଞ୍ଚଳରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କଠାରୁ ହେବାକୁ ଥିବା ସାମାଜିକ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇବା ନେଇ ବିଏମସି ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା କେବଳ ବ୍ରହ୍ମପୁର ଅଞ୍ଚଳରେ ବିଭିନ୍ନ ସଂକ୍ରମିତ ଅଞ୍ଚଳରୁ ଆସିଥିବା ପ୍ରାୟ ୧୫୦ ଲୋକ ହୋମ କ୍ବାରାଣ୍ଟାଇନରେ ରହିଛନ୍ତି। ତେବେ ସେମାନଙ୍କଠାରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ସମ୍ବନ୍ଧିତ ଲକ୍ଷଣ ଦେଖାଦେଇ ନାହିଁ। ଆଗାମୀ ଦିନରେ ସଂକ୍ରମିତ ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ପ୍ରବାସୀ ଓଡିଆମାନେ ପ୍ରଶାସନ ପକ୍ଷରୁ କରାଯାଇଥିବା ଇନଷ୍ଟିଚ୍ୟୁଟନାଲ କ୍ବାରାଣ୍ଟାଇନ ସେଣ୍ଟରରେ ରହିବାକୁ ବାଧ୍ୟ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।