ପ୍ରବାସୀଙ୍କ ପାଇଁ ଚାଲିଛି ହୋଟେଲ ଖୋଜା: ଜିଲାପାଳଙ୍କ ଅନୁମୋଦନକୁ ଅପେକ୍ଷା

ଅନୁଗୋଳ ଅଫିସ, ୧।୫ – ରାଜ୍ୟ ଓ ଜିଲା ବାହାରୁ ଅନୁଗୋଳ ଜିଲାକୁ ଆସିବାକୁ ଥିବା ପ୍ରବାସୀମାନଙ୍କୁ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ସେମାନଙ୍କ ମଧ୍ୟରୁ ଯେଉଁମାନେ ସରକାରୀ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ନ ରହିବେ ସେମାନଙ୍କ ପାଇଁ ହୋଟେଲରେ ସଙ୍ଗରୋଧ ବ୍ୟବସ୍ଥା କରାଯାଉଛି। ଅନୁଗୋଳ ସହରରେ ଥିବା ହୋଟେଲ ଗୁଡ଼ିକକୁ ଏଥିପାଇଁ ପୌରପାଳିକା ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଛି। ବୁଝାଯାଇଥିବା ଦୁଇଟି ହୋଟେଲ ମଧ୍ୟରୁ ଗୋଟିଏର ବେଡ୍‌ ପିଛା ଦର ୭ଶହ ଓ ଅନ୍ୟଟିର ୮ଶହ ରହିଛି। ହୋଟେଲରେ ସଙ୍ଗରୋଧରେ ରହିବାକୁ ଇଚ୍ଛୁକ ବ୍ୟକ୍ତିମାନେ ଖାଦ୍ୟପେୟ ବାବଦକୁ ଅଲଗା ଟଙ୍କା ଭରଣ କରିବେ। ଶିମିଳିପଡ଼ାରେ ଥିବା ଏକ ହୋଟେଲରେ ୪୦ଟି ବେଡ୍‌ ଥିବାବେଳେ ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟସ୍ଥ ହୋଟେଲରେ ୬୦ଟି ବେଡ୍‌ ରହିଛି ବୋଲି ନିର୍ବାହୀ ଅଧିକାରୀ ବିନୋଦଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ତେବେ ଜିଲାପାଳଙ୍କ ଅନୁମୋଦନ ପରେ ଉକ୍ତ ଦୁଇଟି ହୋଟେଲକୁ ସଙ୍ଗରୋଧ ଗୃହ ଭାବେ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ୩ଶହ ଲୋକ ରହିବା ପାଇଁ କ୍ବାରାଣ୍ଟାଇନ୍‌ ସେଣ୍ଟର କରାଯାଇଛି। ସେଠାରେ ରହିଲେ ପ୍ରଶାସନ ସମସ୍ତ ବ୍ୟବସ୍ଥା ବୁଝିବ ବୋଲି ପୌର ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।