ପ୍ରବାସୀଙ୍କୁ ନେଇ ଆଜି ଆସିବ ଆଉ ଏକ ଟ୍ରେନ୍‌

ବାରିପଦା ଅଫିସ,୨୮ା୫-ଲକ୍‌ଡାଉନ ଯୋଗୁ ବାଙ୍ଗାଲୋରରେ ଫସି ରହିଥିବା ପ୍ରବାସୀମାନଙ୍କୁ ନେଇ ପୁଣି ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଗୁରୁବାର ମୟୂରଭଞ୍ଜ ଜିଲାର ବାରିପଦାକୁ ଆସିବ। ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଏହି ଟ୍ରେନଟି ବାଙ୍ଗାଲୋର ଷ୍ଟେସନରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ବାରିପଦା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଗୁରୁବାର ସକାଳ ୬ଟା ସମୟରେ ବାରିପଦା ଭଞ୍ଜପୁର ଷ୍ଟେଶନରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ପକ୍ଷରୁ ଭଞ୍ଜପୁର ରେଳଷ୍ଟେଶନରେ ପ୍ରସ୍ତୁତିକୁ ନେଇ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ଜିଲାକୁ ଆସୁଥିବା ଏହି ପ୍ରବାସୀମାନଙ୍କୁ ବସ୍‌ ଯୋଗେ ସେମାନଙ୍କ ନିଜ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ମଙ୍ଗଳବାର ତାମିଲନାଡୁରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ୨୮୪ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ଟ୍ରେନ୍‌ ବାରିପଦାରେ ପହଞ୍ଚିଥିଲା।