ପ୍ରବଳ ବର୍ଷାରେ ଘରେ ପଶିଲା ପାଣି: ଡ୍ରେନ ସଫେଇ ଦାବିରେ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୬ା୯: ବଲାଙ୍ଗୀର ସହରରେ ଶୁକ୍ରବାର ସକାଳ ୮ଟାରୁ ପ୍ରାୟ ୨ ଘଣ୍ଟାର ପ୍ରବଳ ବର୍ଷାରେ ଅନେକ ଅଞ୍ଚଳରେ ପୁଣି ଥରେ ବନ୍ୟା ଭ୍ରମ ସୃଷ୍ଟି ହୋଇଥିଲା । ରାସ୍ତାଘାଟ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେବା ସହ ଶତାଧିକ ବ୍ୟକ୍ତିଙ୍କ ଘରକୁ ବର୍ଷାଜଳ ପଶିଯାଇଥିଲା । ମାଡପଡା, ତେଲିଗୋଠପଡା, ପ୍ରତାପସାଗରପଡା, ତୁଲସୀନଗର, ଠିକାଦାରପଡା ଓ ସହରର ଅନ୍ୟ ଅଞ୍ଚଳର ଶତାଧିକ ବ୍ୟକ୍ତିଙ୍କ ଘରେ ବର୍ଷାଜଳ ପଶି ଯିବାରୁ ପୁଣି ଥରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଆସବାବପତ୍ର, ଜିନିଷପତ୍ର ନଷ୍ଟ ହୋଇଯାଇଛି। ଘରେ ପାଣି ଜମି ରହିବାରୁ ଲୋକେ ରୋଷେଇ କରିପାରି ନାହାନ୍ତି ।
ମାଲପଡାରେ ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ ପାଣି ଘରକୁ ପଶିଯାଉଛି । ମ୍ୟୁନିସିପାଲିଟି ଡ୍ରେନ୍‌ ସଫେଇ କରାଯାଇ ନ ଥିବାରୁ ଓ ଅନେକ ସ୍ଥାନରେ ଜବରଦଖଲ ସମସ୍ୟା ରହିଥିତ୍ବାରୁ ଡ୍ରେନ୍‌ ପାଣି ନିଷ୍କାସିତ ହୋଇପାରୁ ନାହିଁ । ଶୁକ୍ରବାର ପୂର୍ବାହ୍ନ ୮ଟାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଏହାର ମାତ୍ର କିଛି ସମୟ ମଧ୍ୟରେ ମାଳପଡା ରାସ୍ତାରେ ପ୍ରବଳ ବର୍ଷାଜଳ ପ୍ରବାହିତ ହୋଇ ବିଭିନ୍ନ ଲୋକଙ୍କ ଘରକୁ ଡ୍ରେନ୍‌ ପାଣି ପଶିଯାଇଥିଲା । ଏହାର ପ୍ରତିବାଦରେ ପଡାର ଶତାଧିକ ଯୁବକ ଓ ଜନସାଧାରଣ ବିକ୍ରମ ଛକରୁ ରେଲୱେ ଷ୍ଟେଶନ୍‌କୁ ଯାଇଥିବା ରାସ୍ତାକୁ ଅବରୋଧ କରିଥିଲେ । ଅରେଞ୍ଜ ହୋଟେଲ ନିକଟରେ ରାସ୍ତା ଅବରୋଧ କରାଯିବା ଫଳରେ ରେଳଷ୍ଟେଶନ୍‌ ରାସ୍ତାରେ ଶତାଧିକ ଗାଡିମୋଟର ଅଟକି ରହିଥିଲା । ବହୁ ଲୋକ ବୁଲିକରି ଯିବା ଆସିବା କରୁଥିତ୍ବା ଦେଖାଯାଇଥିଲା ।ପ୍ରତାପ ସାଗରରୁ ରାଣୀବନ୍ଧକୁ ଯାଇଥିବା କେନାଲ ଜବରଦଖଲ ଯୋଗୁଁ ବନ୍ଦ ହୋଇପଡିଛି । ଫଳରେ ଏହି ରାସ୍ତାରେ ପାଣି ପ୍ରବାହିତ ହୋଇ ନ ପାରି ଏହା ପ୍ରତାପସାଗର ରାସ୍ତାଦେଇ ତେଲିଗୋଠପଡା ରାସ୍ତା ଉପର ଦେଇ ମାଳପଡା ଭିତରକୁ ଛୁଟୁଛି । ଏହା ସହିତ ରେଳଷ୍ଟେଶନ୍‌ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ୍‌ ସଫେଇ ହୋଇ ନାହିଁ। ଏହି ଡ୍ରେନ୍‌ରେ ଜବରଦଖଲ ସମସ୍ୟା ଥିବାରୁ ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତା ଉପର ଦେଇ ଘର ଭିତରକୁ ପଶି ଯାଉଛି । ମ୍ୟୁନିସିପାଲିଟି ଜାଣି ଶୁଣି ଏହି ଡ୍ରେନ୍‌କୁ ସଫେଇ କରୁନାହିଁ ଓ ଜବରଦଖଲ ଉଚ୍ଛେଦ କରୁନାହିଁ ବୋଲି ରାସ୍ତା ଅବରୋଧ କରିଥିବା ଲୋକେ ଅଭିଯୋଗ କରିଥିଲେ । ଦୀର୍ଘ ସମୟ ପରେ ରାସ୍ତାରୋକୋ ସ୍ଥଳକୁ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ୍‌ ଦୀପ ପହଞ୍ଚତ୍ଥିଲେ । ଉତ୍ତ୍ୟକ୍ତ ରାସ୍ତା ଅବରୋଧକାରୀମାନେ ନିର୍ବାହୀ ଅଧିକାରୀଙ୍କୁ ନାନା ପ୍ରଶ୍ନ କରିବା ସହ କେଉଁ କାରଣରୁ ଏହି ଡ୍ରେନ୍‌ ସଫେଇ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଆଗାମୀ ୭ ଦିନ ମଧ୍ୟରେ ଡ୍ରେନ୍‌ ସଫେଇ ସହ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।