ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ: ଅବ୍ୟବସ୍ଥାକୁ ନେଇ ଅଧାରୁ ଉଠିଗଲେ ଅଧ୍ୟକ୍ଷା

ବରୀ/ରତ୍ନଗିରି, ୫ା୧୦(ସ୍ବ.ପ୍ର/ଡି.ଏନ୍‌.ଏ.): ବରୀ ବ୍ଲକ ସଭାଗୃହରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ହୋଇଯାଇଛି। ବିଡିଓ ଶୁଭଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଦେଶ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ଲକ ଅଧ୍ୟକ୍ଷା ଶୁଭାସିନୀ ନାଥଶର୍ମା ଉପସ୍ଥିତ ରହି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଏହି ସମୟରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ହିତାଧିକାରୀଙ୍କୁ ଜଳଖିଆ, ପାନୀୟଜଳ ଦେବାର ବ୍ୟବସ୍ଥା ରହିଥିବା ବେଳେ ଅଧିକାଂଶ ହିତାଧିକାରୀ ଏଥିରୁ ବଞ୍ଚତ୍ତଥିବା ନାଥଶର୍ମା କହିଛନ୍ତି। ଏଥିସହ ଉତ୍ସବ ପାଇଁ ସରକାରୀଭାବେ ମୋତେ ଚିଠି ଦିଆଯାଇଥିବାବେଳେ ବିଡିଓ କୌଣସି ଆଲୋଚନା ତାଙ୍କ ସହ କରି ନାହାନ୍ତି। ହଠାତ୍‌ ଏଭଳି କାର୍ଯ୍ୟାଦେଶ ବଣ୍ଟନ ଉତ୍ସବକୁ ନେଇ ଅଧ୍ୟକ୍ଷା ନାଥଶର୍ମା ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟଦେଶସ୍ଥାନ ଛାଡି ପଳାଇଥିଲେ। ପରେ ବିଧାୟିକା ଦାସ ହିତାଧିକାରୀଙ୍କ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ବ୍ଲକର ୨୯ ପଞ୍ଚାୟତରେ ମୋଟ ୬୯୧ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ସମସ୍ତ ହିତାଧିକାରୀଙ୍କ ଜମାଖାତା ବହିକୁ ପ୍ରଥମ କିସ୍ତି ବାବଦରେ ୨୦ହଜାର ଟଙ୍କା ଜମା ଦିଆଯାଇଥିବା ବିଡିଓ ତ୍ରିପାଠୀ ସୂଚନା ଦେଇଛନ୍ତି। ଶେରପୁର, ମନ୍ଦାରୀ, ଗୋଳକୁଣ୍ଡ ପଞ୍ଚାୟତ ଯୋଜନାରୁ ବାଦ ପଡିଥିବାବେଳେ ସର୍ବାଧିକ କାର୍ଯ୍ୟାଦେଶ ବାଇଁଶିରିଆ ପଞ୍ଚାୟତରେ ୬୭ଜଣ ହିତାଧିକାରୀଙ୍କୁ ମିଳିଥିଲା ବେଳେ ଅରଙ୍ଗାବାଦ ପଞ୍ଚାୟତର ସର୍ବନିମ୍ନ ଜଣେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଛି। ଜନପ୍ରତିନିଧି, ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ଭିତରେ ସମନ୍ବୟ ରକ୍ଷା କରିବା ପାଇଁ ସରକାର ବିଧି ବ୍ୟବସ୍ଥା ଉପରେ ସମସ୍ତେ ଅବଗତ ହେବା ପାଇଁ ବିଡ଼ିଓ ତ୍ରିପାଠୀ ନିବେଦନ କରିଛନ୍ତି। ଏହି ବ୍ଲକରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। କମ୍ପ୍ୟୁଟର, ଇଣ୍ଟରନେଟ୍‌ ଓ କର୍ମଚାରୀଙ୍କ ଅଭାବ ରହିଛି। ଏସବୁକୁ ସୁଧାରିଲା ପରେ ସରକାରୀ କାର୍ଯ୍ୟ ତ୍ୱରାନ୍ବିତ କରାଯିବ, କାର୍ଯ୍ୟାଦେଶ ବଣ୍ଟନ ଉତ୍ସବରେ କୌଣସି ଅବ୍ୟବସ୍ଥା ହୋଇ ନାହିଁ। ଶାନ୍ତି ଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ହୋଇଥିବା କହିଛନ୍ତି।