ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଧାର୍ଯ୍ୟ ସମୟରେ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କ ସାମୂହିକ ଶପଥ

କର୍ଲାମୁଣ୍ଡା,୧୯।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନେ ମଙ୍ଗଳବାର ଏକାଠି ହୋଇ ଧାର୍ଯ୍ୟ ସମୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଶପଥ ନେଇ ଥିବା ଜଣାପଡିଛି। ଏହି ପଞ୍ଚାୟତର ୧୯ ଜଣ ହିତାଧିକାରୀ କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ସରପଞ୍ଚ ପୃଥିରାଜ ମାଝିଙ୍କ ଉପସ୍ଥିତିରେ ପ୍ରଥମେ ଗଁା ଦେବୀଙ୍କୁ ପୂଜାର୍ଚ୍ଚନା ପରେ ସମସ୍ତ ହିତାଧିକାରୀ ଏକାଠି ହୋଇ ଶପଥ ନେଇଥିଲେ। କନିଷ୍ଠଯନ୍ତ୍ରୀ ଶିଶିର କୁମାର ବେହେରା, ଗ୍ରାମରୋଜଗାର ସେବକ କ୍ଷମା ସାହୁ, ଆବାସ ଗୃହ ଯୋଜନାର ବ୍ଲକ ସଂଯୋଜକ ରୁଦ୍ର ପ୍ରସାଦ ସାହୁ, ପିଇଓ ଚମାରୁ ନାଏକ ପ୍ରମୁଖ ଯୋଗଦେଇ ଗୃହ ନିର୍ମାଣ ପାଇଁ ଲେଆଉଟ ଦେଇଥିଲେ। ସେପ୍ଟେମ୍ବର ୧୭ରେ ହିତାଧିକାରୀଙ୍କ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ଓ ଲେଆଉଟ ଦେବା ସହିତ ଅକ୍ଟୋବର ୨ରେ ଗୃହ ପ୍ରବେଶ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଥିବାରୁ ଏତେ ଅଳ୍ପ ଦିନ ଭିତରେ ହିତାଧିକାରୀମାନେ କିପରୀ ଘର ନିର୍ମାଣ କାର୍ଯ୍ୟ ସାରିବେ ବୋଲି ହିତାଧିକାରୀମାନେ ପ୍ରକାଶ କରିଛନ୍ତି।