ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ମେଳା

କେସିଙ୍ଗା,୧୯।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ପାଷ୍ଟିକୁଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ମେଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭବାନୀପାଟଣା ବିଧାୟକ ତଥା ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାଏକ ଯୋଗଦେଇ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଆସନ୍ତା ୨୦୨୨ ସୁଦ୍ଧା ଓଡିଶାର ପ୍ରତ୍ୟେକ ଘରେ ପାନୀୟ ଜଳ, ବିଦ୍ୟୁତ, ପକ୍କା ଘର, ରାସ୍ତା, ଗ୍ୟାସ ସଂଯୋଗ ଦିଆଯିବ ବୋଲି ମୁଖ୍ୟଅତିଥି ନାଏକ ପ୍ରକାଶ କରିଥିଲେ। ପ୍ରଥମ କରି ଅଧମୁଣ୍ଡା, ପାଷ୍ଟିକୁଡି, ଫଟକାମାଲ ଓ ନାସିଗାଁ ୪ଟି ଗ୍ରାମପଞ୍ଚାୟତର ୧୦୦ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସମଗ୍ର କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତ ପାଇଁ ୨୦୧୯-୨୦ ଆର୍ଥତ୍କ ବର୍ଷରେ ୨ ହଜାର ୧୧୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଆଦେଶନାମା ଦିଆଯିବ। ସମସ୍ତ ହିତାଧିକାରୀମାନେ ୩ ରୁ ୪ ମାସ ଭିତରେ ଏହି ଘର ନିର୍ମାଣ କରିବା ପାଇଁ ବିରୋଧୀ ଦଳ ନେତାଙ୍କ ସମ୍ମୁଖରେ ଶପଥ ପାଠ କରିଥିଲେ। ଏହି ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବେହେରା, ଜିଲା ପରିଷଦ ସଭ୍ୟା ନିରୁପମା ସାମଲ, କେସିଙ୍ଗା ବିଡିଓ ଭୀମସେନ ଶବର, ଜିଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ ଯୋଗଦେଇଥିଲେ । ଏହି ମେଳାରେ ଅଧମୁଣ୍ଡା ସରପଞ୍ଚ ଅନୁପମା ପ୍ରଧାନ, ପିଇଓ ଆକାଶ ସାହୁ, ଆଦିତ୍ୟ ସାହୁ, ସୁଭଶ୍ରୀ ପାଣିଗ୍ରାହୀ, ବ୍ଲକ ପ୍ରକଳ୍ପ ସଂଯୋଜକ ପ୍ରତିମା ସାହୁ ପ୍ରମୁଖ ସହଯୋଗ କରିଥିଲେ। ପାଷ୍ଟକୁଡି ଗ୍ରାମପଞ୍ଚାୟତ ସରପଞ୍ଚ ଲୋକନାଥ ନାଏକ ଧନ୍ୟବାଦ ଦେଇଥିଲେ ।