ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରୟାନ-୨ ଅବତରଣ ଦେଖିବେ ସରନ୍ୟା

ତାଳଚେର,୨ା୯(ନି.ପ୍ର.)
ଆସନ୍ତା ୭ ତାରିଖରେ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟାଳୟରେ ଉପସ୍ଥିତ ରହି ମଧ୍ୟରାତ୍ରିର ଏହି ଅବତରଣ ଦୃଶ୍ୟକୁ ଦେଖିବେ। ତାଙ୍କ ସହ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨ଜଣ ଲେଖାଏ ଶ୍ରେଷ୍ଠ ବିଦ୍ୟାର୍ଥୀ ଉପସ୍ଥିତ ରହିବେ। ଏହି ବିଦ୍ୟାର୍ଥୀଙ୍କ ମଧ୍ୟରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ରୀ ସରନ୍ୟା ନନ୍ଦ ରହିଛନ୍ତି। ଏଥିପାଇଁ ତାଙ୍କୁ ଇସ୍ରୋ ପକ୍ଷରୁ ବାଙ୍ଗାଲୋର ଆମନ୍ତ୍ରଣ କରାଯାଇଛି। ଅଗଷ୍ଟରେ ଅନୁଷ୍ଠିତ ଅନ୍‌ଲାଇନ ସ୍ପେସ୍‌ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସରନ୍ୟା ଯୋଗ୍ୟ ବିବେଚିତ ହୋଇଥିବାରୁ ଇସ୍ରୋ ପକ୍ଷରୁ ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲା କଣିହାଁସ୍ଥିତ ଏନ୍‌ଟିପିସି ଅର୍ଥ ବିଭାଗ ଏଜିଏମ୍‌ ସମୀର ନନ୍ଦ ଓ ସୁଲଭ ନନ୍ଦଙ୍କ ୨ୟ କନ୍ୟା ସରନ୍ୟା ୨୦୧୭ରେ ସ୍ବଚ୍ଛ ଭାରତ ଉପରେ ଏକ କବିତା ଲେଖି ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଂଶସାପତ୍ର ପାଇଥିଲେ।