ପ୍ରଦ୍ୟୁମ୍ନ ହତ୍ୟା ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୪।୮(ଡି.ଏନ.ଏ)-ଜଗନ୍ନାଥପ୍ରସାଦ ଥାନା ଗୋଚ୍ଛାବାଡ଼ିର ପ୍ରଦ୍ୟୁମ୍ନ କୁମାର ନାୟକ ହତ୍ୟା ମାମଲାର ରାୟ ମଙ୍ଗଳବାର
ପ୍ରକାଶ ପାଇଛି। ଭଞ୍ଜନଗର ଏଡ଼ିଜେ ମହଲତ ସା ମାମଲାର ବିଚାର କରି ୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ଜଗୁ ନାୟକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରକାଶ ଯେ, ଗୋଚ୍ଛାବାଡ଼ିର ପ୍ରଦ୍ୟୁମ୍ନଙ୍କ ସହ ଗଁାର ବନିତା ନାୟକଙ୍କର କୌଣସି କାରଣରୁ ବିବାଦ ହୋଇଥିଲା। ଏହାପରେ ବନିତା ପ୍ରଦ୍ୟୁମ୍ନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲେ। ଗ୍ରାମର ଜଗୁ ଓ ମାଣିତରାର ନାରାୟଣ ନାୟକଙ୍କ ସହାୟତା ନେଇଥିଲେ ବନିତା। ୨୦୧୪ ଏପ୍ରିଲ ୨୭ ରାତିରେ ପ୍ରଦ୍ୟୁମ୍ନଙ୍କୁ ବନିତା କରଡ଼ାବଣି ଜଙ୍ଗଲକୁ ଡ଼ାକି ନେଇଥିଲେ। ଏହାପରେ ପୂର୍ବ ଯୋଜନା ପ୍ରକାରେ ନାରାୟଣ, ଜଗୁ ଓ ବନିତା ମିଶି ପ୍ରଦ୍ୟୁମ୍ନଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପ୍ରଦ୍ୟୁମ୍ନଙ୍କ ବାପା ଭାସ୍କର ଜଗନ୍ନାଥପ୍ରସାଦ ଥାନାରେ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଗତବର୍ଷ ବନିତା ଓ ନାରାୟଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ମଙ୍ଗଳବାର ଜଗୁ ମଧ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଏମ୍‌.ତାଜ୍‌ ଆଦେନୀ ଓ ମୁଦାଲାଙ୍କ ପକ୍ଷରୁ ଇଶ୍ୱର ମହାରଣା, ଚନ୍ଦ୍ରମଣି ମହାପାତ୍ର, ବିନାୟକ ପ୍ରଧାନ, ରାଜେଶ୍ୱର ରାଓ ଆଚାରୀ, ବିକାଶ ରଞ୍ଜନ ବେହେରା ମାମଲା ପରିଚାଳନା କରୁଥିଲେ।