ପ୍ରଦୂଷିତ ସହର ତାଲିକାରେ ବାଲେଶ୍ୱର: ସଚେତନ କଲା ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି

ବାଲେଶ୍ୱର ଅଫିସ, ୮।୧୧-ନ୍ୟାଶନାଲ ଟ୍ରିବ୍ୟୁନାଲ ସର୍ଭେ ରିପୋର୍ଟକୁ ଭିତ୍ତି କରି ଭାରତର ୧୦୬ଟି ସହରକୁ ପ୍ରଦୂଷଣଯୁକ୍ତ ଏବଂ ଚାଷ ଅନୁପଯୋଗୀ ଘୋଷଣା କରାଯାଇଛି। ଏହି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା, କଳିଙ୍ଗନଗର, ଅନୁଗୋଳ ଓ ବାଲେଶ୍ୱର ରହିଛି। ଏହାର ସମାଧାନ ଲାଗି ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକ ଓ ବୁଦ୍ଧିଜୀବୀମାନେ ସରକାରୀ, ବେସରକାରୀ ସ୍ତରରେ ହାତକୁ ନେଇଛନ୍ତି ବୋଲି ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି ପକ୍ଷରୁ ଶୁକ୍ରବାର ଆୟୋଜିତ ସଚେତନତା ଶିବିରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ. ମଧୁମିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି।
ବାଲେଶ୍ୱର ସହର ପାଣିଟାଙ୍କିସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ସମାଜସେବୀ ଶୁଭଙ୍କର ମହାପାତ୍ର ସଭାପତିତ୍ୱ କରିଥିଲେ। ଆବାହକ ବିଶିଷ୍ଟ ପରିବେଶବିତ୍‌ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ବିଶ୍ୱର ଭୂତଳ ଜଳସ୍ତର ଦ୍ରୁତଗତିରେ ନିମ୍ନଗାମୀ ହୋଇ ଚାଲିଥିବା ବେଳେ ବାୟୂମଣ୍ଡଳର ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଳବାୟୁ ସାଙ୍ଗକୁ ପୃଥିବୀର ଉତ୍ତାପ ବୃଦ୍ଧି ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିସାରିଲାଣି। ବାଲେଶ୍ୱରରେ ଏଭଳି ସଚେତନତା ଶିବିର ଅତି ଗୁରୁତ୍ୱପୂର୍ଣ୍ଣ ଥିବା ସେ କହିଥିଲେ। ବିଶିଷ୍ଟ ପରିବେଶବିତ୍‌ ଡ. ସୂର୍ଯ୍ୟେନ୍ଦୁ କୁମାର ଦେ ଅତିଥି ଭାବେ ଯୋଗଦେଇ ବାଲେଶ୍ୱର ଜିଲାରେ ସମୁଦ୍ର ଉପକୂଳ ଅଞ୍ଚଳ ଯଥା ଭୋଗରାଇ, ବାଲିଆପାଳ, ବସ୍ତା, ସଦର, ରେମୁଣା ବ୍ଲକର ୫୬ଟି ପଞ୍ଚାୟତରେ ଭୂତଳରେ ମଧୁରଜଳ ବହୁ ତଳକୁ ଚାଲିଯାଇଥିବା ବେଳେ ଉପରେ ଲୁଣିପାଣି ରହିଛି। ବାହାବଳପୁରଠାରେ ପାନୀୟଜଳର ସ୍ତର ୯୩୦ ଫୁଟ୍‌ ତଳେ ପହଞ୍ଚତ୍ଲାଣି ବୋଲି ସେ ସୂଚନା ଦେଇଥିଲେ। ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଅଦୈତ ପ୍ରସାଦ ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଳସମ୍ପଦ ଓ ପରିବେଶକୁ ରକ୍ଷା କରିବାକୁ ହେଲେ କୋଷ୍ଟାଲ କେନାଲ୍‌ଗୁଡ଼ିକର ପୁନରୁଦ୍ଧାର କରିବା ସହ ନାଳ, ନଦୀ, ଆଡ଼ିବନ୍ଧ ଦ୍ୱାରା ବର୍ଷା ଜଳକୁ ସଞ୍ଚୟ କରାଯିବା ଆବଶ୍ୟକ। ଆଗାମୀ ଦିନରେ ସ୍କୁଲ, କଲେଜ, ଗାଁ ଗାଁରେ ବୁଲି ବିଭିନ୍ନ ଅନୁଷ୍ଠାନରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ଏହାସହ ଜଳସମ୍ପଦ ସଂରକ୍ଷଣ ଏବଂ ଚାରାରୋପଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଶିବିରରେ ୨ଶହରୁ ଊର୍ଦ୍ଧ୍ୱ ବୁଦ୍ଧିଜୀବୀ, ରାଜନୈତିକ ନେତା, ଯୁବତୀଯୁବତୀ ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।